Unknown

 

 

 

 

 

 

 

 

 

ଓଡ଼ିଆ ଗ୍ରାମ୍ୟଗୀତି

ଶ୍ରୀ ଚକ୍ରଧର ମହାପାତ୍ର

 

ଗ୍ରାମ୍ୟ ଗୀତିରସ୍ୱରୂପ

 

ଗାଁ ଗହଳରେ ଯେଉଁ ସଙ୍ଗୀତମାନ ମୁଖେମୁଖେ ରହି ଆସିଅଛି ସେହିଗୁଡ଼ିକ ଗାଉଁଲି ଗୀତ ବୋଲି କଥିତ ହେଉଅଛନ୍ତି । କିନ୍ତୁ ମୁଖେମୁଖେ ଗ୍ରାମ୍ୟ ନରନାରୀଙ୍କଠାରୁ ଆମ୍ଭେମାନେ ଯେଉଁ ସଙ୍ଗୀତମାନ ଶୁଣୁ ତନ୍ମଧ୍ୟରେ ‘ଭଣେ ବଳରାମ ଦାସ’ ଅଥବା ‘ଭଣେ ଅଚ୍ୟୁତ ଦାସ’ଙ୍କ କବିତା ମଧ୍ୟ ଶୁଣାଯାଇଥାଏ । ଯୋଗୀ ଦିବା ଦ୍ୱିପ୍ରହରରେ କେନ୍ଦରା ବଜାଇ ଯେତେବେଳେ ଗ୍ରାମ୍ୟପଥରେ ବୁକୁଫଟା ଧ୍ୱନିରେ ଗାଉଥାଏ–

 

‘କିଛିହିଁ ଦୋଷ ନ କଲି ଗୋସାଇଁ

ବନେ ବିସର୍ଜିଲ ମୋରେ କିପାଇଁ ?

ପଥ ନ ଦିଶଇ କେଣିକି ଯିବି

କେମନ୍ତ ପ୍ରକାରେ ଦିନ ବଞ୍ଚିବି ?

 

ପୁଣି ଯେବେ ଶୁଭେ–

 

କିଛି ହିଁ ମାୟେ ନକର ଗୋ ଚିନ୍ତା

ତୋ ପୁତ୍ରେ ହୋଇବେ ଜଗତ ଜିତା ।

 

ସେ କାରୁଣ୍ୟରେ ପଥର ବୁକୁ ତରଳିଯାଏ । ନିରକ୍ଷରା ନାରୀ, ନିରକ୍ଷର ପୁରୁଷର ବୁକୁଉପରେ ସେହି ପଦଗୁଡ଼ିକ ଚମତ୍କାର ଭାବରେ ଖୋଳି ହୋଇଯାଏ । ପଥର ଉପରୁ ସେ ଦାଗ ସହଜରେ କେବେ ଲିଭେ ନାହିଁ । ବୈଷ୍ଣବ ଗାଏ–

 

ଚିତ୍ର ପ୍ରତିମା ପ୍ରାୟେ ଦିଶେ ସୁନ୍ଦର

ଚିରି ଭିତର ଦେଖ କି ନାରଖାର ରେ ।

 

ଖୁଦୁରୁକୁଣି ଓଷା ଗୀତରୁ ଶୁଭେ–

 

ନୀଳେନ୍ଦି ନାମେ ସାନ ବୋହୂ

ତଅପୋଇର ପ୍ରିୟ ସେହୁ ।

 

ଏପରି କେତେ କେତେ କବିତା ପ୍ରତି ରାତି ପାଇଲେ ମୂର୍ଖ ନରନାରୀ ତୁଣ୍ଡରୁ ଆମ୍ଭେମାନେ ଶୁଣିଥାଉଁ । ବଉଳା ଗାଈ, ଗୋବିନ୍ଦଚନ୍ଦ୍ର, ଦୁତିଆ ଓଷା, ମଙ୍ଗଳା ସ୍ତୁତି, ଅଶ୍ୱମେଧ ଯଜ୍ଞ, ତ୍ରିନାଥ ମେଳା, ମାଣବସା ଲକ୍ଷ୍ମୀପୁରାଣ, ବୁଧେଇ ଓଷା, ଅଳଙ୍କାରବୋଲି, ମୃଗୁଣୀ ସ୍ତୁତି, ଗୋପୀଭାଷା ଆଦି ଶତଶତ ପୁସ୍ତକର କେଉଁଥିରୁ କେତେପଦ ଅଥବା ଗୋଟେ ଅଧେ ଛାନ୍ଦ ବା ସମୁଦାୟ ନିରକ୍ଷର ଜନତା ମନେ ରଖିଥାଏ । ଏ ସବୁ ଯେବେ ଗ୍ରାମ୍ୟଗୀତିକା ଭାବରେ ଆମ୍ଭମାନଙ୍କୁ ସଂଗ୍ରହ କରିବାକୁ ହୁଏ, ତେବେ ଏ ସଂଗ୍ରହରେ କିଛି ବିଶେଷତ୍ୱ ଥିବାର ଜଣାଯିବ ନାହିଁ । ଏହି କାରଣରୁ, ଏ ସବୁ ପୌରଜନଦ୍ୱାରା ହେଉ ବା ପଲ୍ଲୀଜନଦ୍ୱାରା ହେଉ କାବ୍ୟାକାରରେ ଲିଖିତ ହୋଇ ପୁରୁଣା ତାଳପତ୍ରକୁ ଅଥବା କାଗଜ କଲମକୁ ଆସିସାରିଛି । ସୁତରାଂ ସେ ସମସ୍ତ ପଲ୍ଲୀପ୍ରିୟ ବା ଗ୍ରାମପ୍ରିୟ କବିତା ହୋଇ ପାରନ୍ତି, କିନ୍ତୁ ସେ ସବୁ ଗ୍ରାମ୍ୟଗୀତି ନୁହନ୍ତି ।

 

ଯେଉଁ କବିତାମାନ ଏବେ ମଧ୍ୟ ମୁଖେମୁଖେ ରହିଆସିଅଛି, କେବେହେଲେ ଗ୍ରନ୍ଥଭାବରେ ପରିଚିତ ହେବାର ସୁଯୋଗ ଲାଭ କରିନାହିଁ ବା କୌଣସି ବ୍ୟକ୍ତିଦ୍ୱାରା କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲାଭ କରି ତାର ବିଚକ୍ଷଣ ମହକରେ ସେ ଜନସମାଜର କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇପାରିଛି, ସେହିମାନଙ୍କୁହିଁ ଗ୍ରାମ୍ୟଗୀତି ବୋଲି ଅଭିହିତ କରିବା ସମୀଚୀନ ।

Image

 

ସଂଗ୍ରାହକର ଦାୟିତ୍ୱ

ସଂଗ୍ରାହକ ସଂଗ୍ରହ କରୁ କରୁ ଜାଣିପାରିବେ ଯେ କେଉଁ କବିତା ସାର୍ବଜନୀନ ଏବଂ କିଏ ନୁହେଁ । କାରଣ ଭାଷାର କାରୁଣ୍ୟ, ସରସତା, ସ୍ୱୟଂଜାତ ଭାବ କେଉଁ କବିତାରେ ଅଛି ଆମେ ତାହା ସହଜରେ ଅନୁଭବ କରିପାରିବା । ବ୍ୟକ୍ତିର ସୁଖ ଦୁଃଖ ଓ ଅନୁଭବ ସମଗ୍ର ଜାତିକୁ କିପରି ସ୍ପର୍ଶ କରେ କେତୋଟି ସାଧାରଣ ଉଦାହରଣରୁ ଆମକୁ ଜଣାଯିବ।

ଏହି ପରା ତୁମ ଡ଼େଙ୍ଗା ଉଆସ

ଚିଲ ପଶି ବିଲ ଯାଉଚି

ଏହି ପରା ତୁମ ସୁଆଗି ମାଇପ

ନୁଣ ନାଇଁ ପେଜ ପିଉଛି ।

(ଉତ୍କଳ ଗାଉଁଲି ଗୀତ)

ଏ କବିତା ବ୍ୟଷ୍ଟି ମଧ୍ୟରେ କେବେ ଆବଦ୍ଧ ନଥାଇ ସମଷ୍ଟିର କେଉଁ ଯୁଗାନ୍ତରରୁ ପ୍ରିୟ ହୋଇସାରିଅଛି। କିନ୍ତୁ–

ଅସତୀ ଭୁଞ୍ଜଇ ପଲଙ୍କ ସୁପାତି

କୁଳବତୀ ହୁଏ ଦାସୀ

ସାହି ସାହି ହୋଇ ବୁଲଇ ଗୋରସ

ମଦ ବିକାଯାଏ ବସି ।

(ପଲ୍ଲୀଗୀତ ସଂଚୟନ)

 

ଅବଶ୍ୟ ଅତି ସତର୍କତାର ସହିତ ଏହା କେହି ଏବେ ରଚନା କରିଦେଇ ଅଛନ୍ତି । କିନ୍ତୁ ଏହା ସମଷ୍ଟି ମଧ୍ୟକୁ ଯାଇନାହିଁ । କାରଣ ‘କବିର’ଙ୍କର ହିନ୍ଦୀ ଦୋହାଁର ଏହା ହେଲା ଅନୁବାଦ ।

 

‘ଗୋରସ ଗଲି ଗଲି ଫିରେ, ମଦ ବୈଠେ ବିକାୟ’

 

ରାଧାନାଥଙ୍କର–‘କେହି ରହିନାହିଁ ରହିବ ନାହିଁଟି

 

ଭବରଙ୍ଗଭୂମି ତଳେ–ଏହାକୁ ଯେବେ ଗାଉଁଲି ଗୀତ ବୋଲି ଆମେ ଗ୍ରହଣ କରୁଁ, ତେବେ ଓଡ଼ିଆରେ କେହି ‘ମନୁଷ୍ୟ’ ନାହାନ୍ତି ବୋଲି ନିଶ୍ଚୟ ସ୍ୱୀକାର କରିବାକୁ ହେବ ।

Image

 

ଗାଥା କବିତା

 

ଗାଥା କବିତା ସଂଗ୍ରହ କରିବାକୁ ଯାଇ ଆମେ କି ପ୍ରକାର ତାରତମ୍ୟ ଦେଖିପାରୁଁ, ତାହା କେତୋଟି ଉଦାହରଣରୁ ଦେଖାଯାଉ ।

 

ନୟନେ କଜଳ ଦେଇ

ଅଷ୍ଟ ଅଳଙ୍କାର ଖଞ୍ଜିଲି ନେଇ ଲୋ

ମୋ ଜୀବନ,

ତୋହର ତ ‘ବାବୁ’ ନାହିଁ ।

ପୟରେ ଅଳତା ଦେଇ

ଲେଉଟି ମୁହଁକୁ ଚାହିଁଲି ମୁହିଁ ଲୋ

ମୋ ଜୀବନ

ଯାଉଛି ଲୋତକ ବହି ।

ଯେତେବେଳେ ଅନୁକୂଳ

ଠାକୁର ପ୍ରସାଦ ଧଇଲୁ କର ଲୋ

ମୋ ଜୀବନ

ବୋଇଲି ହେଲୁ ଅନ୍ତର ।

(ଉତ୍କଳ ଗାଉଁଲିଗୀତ)

 

ପୁରୀରୁ ସଂଗୃହୀତ ଏ କବିତା ସାଥିକୁ ସେହି ପୁରୀରୁ ସଂଗ୍ରହ ଅନ୍ୟ କବିତା–

 

ଅଳକା ପାଖୁ ତୋର ଏ ମଥାମଣି

ଏଗାର କେଣ୍ଡା ଝୁମ୍ପି ମୁଣ୍ଡରେ ପୁଣି ।

ଗୁମାସ୍ତା ବସି କରି ତାଲିକା କଲା

ଦଦେଇ ଦେଖି ତୋର ହସିଣ ଦେଲା ।

ଭାଇନା ଶୁଣି କରି କହନ୍ତି ବାଣୀ

ଦଦେଇ ମନ ଦୁଃଖ ନକର ପୁଣି ।

ପାଞ୍ଚ ହଜାର ଟଙ୍କା ପରା ନେଇଛି

ସାତ ହଜାର ଟଙ୍କା ଥୁଆ ହୋଇଛି ।

(ପଲ୍ଲୀଗୀତ ସଞ୍ଚୟନ)

ମାତୃଶୋକର ଏହି ଦୁଇଟି କବିତାକୁ ତୁଳନା କଲେ ଆମେ ଲଜ୍ଜାରେ ସଂକୁଚିତ ହୋଇଯାଉଁ । ତେଣୁ ଦ୍ୱିତୀୟ କବିତାଟି ସଂଗ୍ରହ କରିବାଦ୍ୱାରା ଆମର ଭାଷା, ଆମର ରଚନା, ଆମର ଭାବକୁ ଏକାବେଳେ ଦୂଷିତ କରିବାର ସାର କରାଯାଇଛି । ବିଶେଷରେ ସ୍ୱୟଂଜାତ ପଲ୍ଲୀଗୀତରେ–

ଏତେ କରି କକେଇ ଥିଲା ଶିଖାଇ

ପୁଲିସି ଆଗେ କିଛି କହିବୁ ନାହିଁ

ପୁଲିସି କହେ ଜମାଦାରକୁ ଚାହିଁ

ଏଠେଇ ମକଦ୍ଦମା ଛିଡ଼ିବ ନାହିଁ

X X X

ଆଗେ ଲୋ କାଳେ ଯୋଉ ମାଇପେ ଥିଲେ

ସେହିଲୋ ନଲଠଣ ଦେଖି ନଥିଲେ ।

ବୋହୂଙ୍କ ଚୁଁ ମରା ନେଲା ଇଂରେଜି–ଇତ୍ୟାଦି

(ପଲ୍ଲୀଗୀତ ସଂଚୟନ)

 

ଏସବୁ ଏତେ ବିଶ୍ରୀ ଏବଂ ଅ-ସାର୍ବଜନୀନ ଯେ ପଢ଼ୁପଢ଼ୁ ଭାଷାର ରୁକ୍ଷତା ଅଶୋଭନୀୟ ପ୍ରୟୋଗ ଦ୍ୱାରା ବିରକ୍ତି ଆସେ । କିନ୍ତୁ

 

ଗର୍ଭେ ଦଶ ମାସ ଧରି

କେତେ ଦୁଃଖେ ପାଇ ଥିଲା ବିଚାରିରେ

ଏବେ ଦେଲେ ପରକରି । ସଜନୀରେ।

ହୁଅନ୍ତି ମୁଁ କାକ ପକ୍ଷୀ

ଜନନୀକି ଥରେ ଆସନ୍ତି ଦେଖିରେ

ସଫଳ ହୁଅନ୍ତା ଆଖି । ସଜନୀରେ ।

(ଉତ୍‌କଳ ଗାଉଁଲିଗୀତ)

 

ଅଥବା

 

କୋଇଲିଲୋ

ବୋଉ ଯେବେ ଜନ୍ମ କରିଥାନ୍ତା

ସତେ ନ ଦେଖିଲେ ମତେ ସପନେ ଦେଖନ୍ତା ଲୋ

କୋଇଲି ।

ଭାଉଜ ଭଉଣୀ ରାଢ଼ କଲେ

ଭାଇ ସଙ୍ଗେ ମିଶି ସେତ ଜଣେ ଜଣେ ହେଲେ

ଲୋ କୋଇଲି ।

(ଉତ୍‌କଳ ଗାଉଁଲି ଗୀତ)

 

ଏସବୁ କବିତା ଛଣାପଣା ପରି ଏକାନ୍ତ ସୁ-ପେୟ ମଧୁର, କୋମଳ ଏବଂ ଏତେ ସାର୍ବଜନୀନ ଯେ, ଯେ ପଢ଼ିବ ସେ କହିବ ତାର ସେଥିରେ ଭାଗ ରହି ଅଛି ।

 

ଏସବୁ ଦୃଷ୍ଟିରୁ ପଲ୍ଲୀର ଗାଥା ଅଂଶ ସଂଗ୍ରହ କରିବାକୁ ହେବ । ନଚେତ୍‌ ଦିଅଁ ଗଢ଼ୁ ଗଢ଼ୁ ଆମେ ବାନର ଗଢ଼ି ଚିରଦିନ ଉପହସିତ ହୋଇଯିବା । ଗୋଟିଏ ସାଧାରଣ କଥା । କେଉଁ ଗାଁ ଗହଳରେ କେଉଁ ବିଧବାର ଝିଅଟିଏ କୂଅରେ ବୁଡ଼ି ଆତ୍ମହତ୍ୟା କଲା । ସେ ଝିଅଟିପାଇଁ ତାର ଜନନୀ ବ୍ୟାକୁଳ ହୋଇ ତାର ଅନୁଭବର ଚିତ୍ରମାନଙ୍କରେ ନିଜେ ହେଉ ବା ଗାଁର କେଉଁ ଅଳ୍ପ ଶିକ୍ଷିତ କାହାଦ୍ୱାରା ଗୀତଟିଏ ବନ୍ଧାଇଦେଲା । ସେ ଗୀତ ସେ ଗାଇ ଅଥବା ଶୁଣି ଆଖିରୁ ଲୋତକ ଝରାଇ ପାରିଥାନ୍ତି । କିନ୍ତୁ ତାଙ୍କ କନ୍ୟା ବହୁଦିନର ଆଦରଣୀୟା ନୁହେଁ ବା ତାଙ୍କ କବିତା ମଧ୍ୟ ସେହି ଗ୍ରାମରୁ ଅଧା ତିନିପାଙ୍କୁ ବ୍ୟସ୍ତ ବିବ୍ରତ କରେ ନାହିଁ । ତେବେ ସଂଗ୍ରାହକ ଏ କବିତାକୁ କିପରି ଉପାଦେୟ ବୋଲି ଗ୍ରହଣ କରିବେ ? କବିତା ସର୍ବଜନାଦୃତ ହେବାରେ ଯେଉଁ ମାଧୁରୀ ନିହିତ ଥାଏ, ତାହା ଜାଣି ନ ପାରିଲେ ସଂଗ୍ରାହକ ‘ସଂଗ୍ରାହକର’ ଯୋଗ୍ୟତା ଲାଭ କରି ନ ପାରନ୍ତି ।

 

ମିଥ୍ୟାର ଆବରଣରେ ଅଥବା ବିଶାଳ ଆଳି ମାଳିରେ ଜାତି କେବେ ବଡ଼ ହୋଇପାରେ ନାହିଁ । ଗଦାଏ ଭଙ୍ଗା କାଚକୁ କେହି ସମ୍ପଦ କହେ ନାହିଁ । ମଶାଏ ଓଜନର ହୀରା ହିଁ ଅମୂଲ୍ୟ ସମ୍ପଦ । ତେଣୁ ଗ୍ରାମ୍ୟଗୀତି ସଂଗ୍ରହରେ ଯେଉଁମାନେ ମନୋନିବେଶ କରିବେ ସେମାନେ ଯେପରି ନିର୍ଭୁଲ ସତ୍ୟର ଆଶ୍ରୟ ନେବେ, ତଦ୍ରୂପ ମଧ୍ୟ ନିଷ୍କଳଙ୍କ କବିତା (ଯାହା ସମଷ୍ଟି ମଧ୍ୟରେ ନିରନ୍ତର ପ୍ରଚାରିତ) ପ୍ରତି ଅଧିକ ଦୃଷ୍ଟି ନିକ୍ଷେପ କରିବେ ।

 

ଗାଥା କବିତାରେ ବୋହୂ ଝିଅଙ୍କ ସମ୍ପର୍କରେ ସୁଖ ଦୁଃଖର ରଚନାହିଁ ଲକ୍ଷ୍ୟ କରିବାକୁ ହେବ । ଝିଅ ପହିଲିପାଳି ଯିବାର ଦୃଶ୍ୟ ବର୍ଣ୍ଣନା, ଶାଶୁଘରେ ଥିବା ବୋହୂର ସୁଖ ଦୁଃଖର କାହାଣୀ, ବିଶେଷରେ ନାରୀ ତୁଣ୍ଡରେ ଥିବା ନାରୀ ଉଦ୍ଦେଶ୍ୟରେ ରଚିତ ଖଣ୍ତକାବ୍ୟମାନହିଁ ଗାଥା ଶ୍ରେଣୀର ଅନ୍ତର୍ଗତ ବୋଲିବାକୁ ହେବ ।

Image

 

ମଙ୍ଗଳ ବୋଲି

 

ଏ କବିତାମାନ ମଧ୍ୟ ଗାଥାଶ୍ରେଣୀର। ନାରୀ ମୁଖରେ ଏହି କବିତାମାନ ମଙ୍ଗଳ ଅନୁଷ୍ଠାନରେ ଗାନ କରାଯାଇ ଥାଏ । ଏହି ମଙ୍ଗଳବୋଲିମାନଙ୍କୁ ଗାଆଣିଙ୍କ ମଙ୍ଗଳ ଗୀତି ମଧ୍ୟ କୁହାଯାଏ । ବିବାହ ଏବଂ ବ୍ରତ ଘରର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଏମାନଙ୍କ ଜନ୍ମ; ନାଭିଚ୍ଛେଦନ, ଷଠୀଘର, ଆଠୁଆରି ସ୍ନାନ, ସ୍ୱନକ୍ଷତ୍ର ଆଦିରେ ମଧ୍ୟ ଏ ସଙ୍ଗୀତମାନ ଅତି ପୁରାକାଳରେ ଗ୍ରାମ୍ୟ ସାତଜଣ ସଧବା ନାରୀଙ୍କ ତୁଣ୍ଡରେ ଗୀତ ହେଉଥିଲା । ଅବଶ୍ୟ ଏସବୁ ଶୁଭ କାର୍ଯ୍ୟରେ ବର୍ତ୍ତମାନ ସଧବା ନାରୀ ସାତଜଣ ପ୍ରୟୋଜନ ହେଉ ଅଛନ୍ତି । କିନ୍ତୁ ସଙ୍ଗୀତର ନାମ ଗନ୍ଧ ବର୍ତ୍ତମାନ ଶୁଣାଯାଉ ନାହିଁ । କାରଣ ଜାତିର ସଙ୍ଗୀତରସ ନାନା ଦୁଃଖ ଯନ୍ତ୍ରଣା ମଧ୍ୟରେ ଶୁଷ୍କ ହୋଇଯାଇଅଛି। ଗ୍ରାମ୍ୟ ନାରୀ ଯେପରି ନିରନ୍ତର ବିବ୍ରତ ରହିଅଛି । ‘ମନଫୁଲାଣିଆ ଗୀତ ଗାଏ ।’ ମନ ତ ପ୍ରଫୁଲ୍ଲ ନାହିଁ, ଗୀତ କିଏ ଗାଉଛି ? ଫଳରେ ଘରେ ଘରେ ଗଭୀର ବିଷାଦ କାଳିମା ଘୋଟି ରହିଛି ।

 

ତେଣୁ ସେ ସଙ୍ଗୀତମାନ ଗ୍ରାମ ମଧ୍ୟରୁ କାଳକ୍ରମେ ନୃତ୍ୟକାରିଣୀ ବେଶ୍ୟାମାନଙ୍କଠାରେ ଥାଇ ଅନନ୍ତର ତାହା ରାଜଅନ୍ତଃପୁରର ଦାସୀ ପରିଜନ ମଧ୍ୟରେ ପ୍ରବେଶ ଲାଭ କରିଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ରାଜ ଅନ୍ତଃପୁର ଦାସୀ ପରିଜନ ଶୂନ୍ୟ ହେଲାଣି । କଦବା କେଉଠିଁ ଥିବେ, ତେଣୁ ଏ ସଙ୍ଗୀତମାନ ଅତି ସତର୍କତାର ସହିତ ସଂଗ୍ରହ କରିବାକୁ ହେବ ।

 

ବ୍ରତ ବା ବିବାହ କାର୍ଯ୍ୟରେ ପ୍ରଥମ କରି ଦିନ ବାର ସ୍ଥିର କରିବାକୁ ଜ୍ୟୋତିଷକୁ ଡକରା ହୁଏ ।ଜ୍ୟୋତିଷ ଅନୁକୂଳ ଦିବସ ସ୍ଥିର କଲାବେଳେ ଗାଆଣିଏ ମଙ୍ଗଳ ଗୀତିଗାନ କରନ୍ତି । ସେହି ପରି ବେଦୀ ଅନୁକୂଳ । ବଡ଼ିପକା ଅନୁକୂଳ । ମୁଗ, ବିରି ଜାଇ କରିବା ଅନୁକୂଳ। ବଟା ଘଷା ଅନୁକୂଳ ଇତ୍ୟାଦି ସର୍ବ କାର୍ଯ୍ୟରେ ମଙ୍ଗଳ ଗୀତ ବୋଲାହୁଏ । ଏମନ୍ତକି ବର ବିଜେ ହେବା, କନ୍ୟା ବେଶ ହେବା, ଲବଣଚାମରୀ, ହୋମ ଇତ୍ୟାଦି ଯାବତ କ୍ଷୁଦ୍ର କ୍ଷୁଦ୍ର ବିଧିରେ ମଙ୍ଗଳ ଗୀତ ନାରୀ ତୁଣ୍ଡରେ ବୋଲା ହୋଇଥାଏ ।

 

ଉଦାହରଣ ସ୍ୱରୂପ କାଚଲାଗି ଅନୁକୂଳରେ–

 

କାଚ ଲାଗି ହେଉଛନ୍ତି ଜନକର ବାଳୀ

ସ୍ୱର୍ଗେ ଥାଇ ଅପସରା ଦ୍ୟନ୍ତି ହୁଳହୁଳି ।

ଶ୍ରୀହସ୍ତ ବଢ଼ାଇ ଦେଲେ ଜନକର ଜେମା

ଅକଳଙ୍କ ଶ୍ରୀମୁଖକି ଶରତ ଚନ୍ଦ୍ରମା ।

କାଚ ଲାଗି ସାରି ସର୍ବେ ଚଉସମ ବୋଳି

ଇଷ୍ଟଦେବତାଙ୍କୁ ତହୁଁ ଓଳଗିଲେ ବାଳୀ ।

(ଉତ୍କଳ ଗାଉଁଲି ଗୀତ)

 

ସବୁ ସଙ୍ଗୀତ ମଧ୍ୟରେ ଆମ ଜାତୀୟ ସଂସ୍କୃତି, ଆମ ସାମାଜିକ ପରଂପରା ଓ ଆଭିଜାତ୍ୟର ନିପୂଣ ବର୍ଣ୍ଣନା ମିଳିଥାଏ । ଭାରତର ବିଭିନ୍ନାଞ୍ଚଳରେ ଏ ସଙ୍ଗୀତ ଏବେ ମଧ୍ୟ ନାରୀଠାରେ ଯାବତୀୟ ଶୁଭକର୍ମରେ ଅତି ମଧୁର ଭାବରେ ଶୁଣା ଯାଇଥାଏ । ତେଣୁ ମହାନ୍‌ ଉତ୍କଳର ଏ ସଙ୍ଗୀତମାନ ଯେ ଏକାନ୍ତ ଉପାଦେୟ ଏଥିରେ ସନ୍ଦେହ ନାହିଁ ।

 

ଆମେ କଥାରେ କଥାରେ କହୁଁ ଏହା ଗାଆଣୀ ବୋଲି ପାରିବ ନାହିଁ । ଏଥିରୁ ସୂଚିତ ହୁଏ ଯେ ଗାଆଣୀ, ମଙ୍ଗଳ-ସଙ୍ଗୀତରେ ଯେଉଁ ବର୍ଣ୍ଣନା କରିଥାଏ ସେପରି ବର୍ଣ୍ଣନା ଦୁର୍ଲ୍ଲଭ ନିଶ୍ଚୟ । ତେଣୁ ଗାଆଣୀର ସଙ୍ଗୀତ ସବୁବେଳେ ପ୍ରଶଂସନୀୟ ହୋଇ ଆସିଅଛି ।

 

ବିଶେଷରେ ଏହି ସବୁ ମଙ୍ଗଳ ସଙ୍ଗୀତମାନଙ୍କରେ ଆମର ଶୁଭକର୍ମର ବିଧିମାନ, ପୁନଶ୍ଚ କି କି ମଙ୍ଗଳସମ୍ପନ୍ନ ପଦାର୍ଥ ସେଥିରେ ଲୋଡ଼ାହୁଏ ତାର ବିଚକ୍ଷଣ ବର୍ଣ୍ଣନା ମଧ୍ୟ ଦିଆଯାଇ ଥାଏ । ତେଣୁ ଏ ସମସ୍ତ ସଂଗ୍ରହ କରା ନଗଲେ ଆମର ଦୀର୍ଘ ସୂତ୍ରୀମୟ ଅତୀତର ସାକ୍ଷ୍ୟପ୍ରତି ଅବହେଳା ହୋଇଯିବ ।

Image

 

କାନ୍ଦଣା

 

ଝିଅମାନେ ଶ୍ୱଶୁରାଳୟକୁ ପହିଲି ପାଳି ଯିବାବେଳେ ପିତୃପୁରୀର ମାୟା ମମତାରୁ ଛିନ୍ନ ହୋଇ ପର ଘରକୁ ଯାଉଥିବାରୁ ସ୍ୱରଧରି ନାନା ଅନୁଭବ ବାହୁନି ଯେଉଁ କ୍ରନ୍ଦନ କରିଥାନ୍ତି, ତାହା କାନ୍ଦଣା ବୋଲି ଆମର ଗ୍ରାମ୍ୟ ଜୀବନରେ ପରିଚିତ ଥାଏ ।

 

ଏହି କାନ୍ଦଣାମାନଙ୍କ ମଧ୍ୟରୁ କେତେକ କାନ୍ଦଣା ଚତୁରୀ କନ୍ୟାମାନଙ୍କ ଦ୍ୱାରା ନୂତନ ଭାବରେ ସୃଷ୍ଟି ହୋଇ ଥିଲେ ହେଁ ପରଂପରା ଧରି ବହୁ କାନ୍ଦଣା ଶ୍ରୁତିରେ ଥିବାର ଜଣା ଯାଇଅଛି । ଯୁବତୀର କାନ୍ଦଣା କିଶୋରୀମାନେ ଶୁଣି ମନେ ରଖିଥାନ୍ତି । ପୁନଶ୍ଚ ସେମାନେ ଯୁବତୀ ହେବା ପରେ ସେମାନଙ୍କଠାରୁ ନୂତନ ନୂତନ କିଶୋରୀ ପୁନଶ୍ଚ ଶୁଣି ଶୁଣି ମନେ ରଖନ୍ତି । ଏହି ସୂତ୍ରରେ ଏହା ଗ୍ରାମମାନଙ୍କରେ କାଳ କାଳ ଧରି ରହି ଆସିଥାଏ । ଏମନ୍ତକି ଗ୍ରାମୁଁ ଗ୍ରାମାନ୍ତରର ଯେଉଁ କିଶୋରୀମାନେ ବନ୍ଧୁବାନ୍ଧବ ସୂତ୍ରରେ ଦେଖନ୍ତା-ଚାହାଁନ୍ତା-ସ୍ନେହ-ମମତା ସୂତ୍ରରେ, କେଉଁ ଯୁବତୀର ପହିଲି ପାଳି ଯିବାବେଳେ ପହଞ୍ଚିଥାନ୍ତି, ସେମାନେ ଉକ୍ତ କାନ୍ଦଣା ଶୁଣି ମନେ ରଖିପକାନ୍ତି । ଫଳରେ ଏହିପରି ଭାବରେ ଏ ଗୀତମାନ ଗ୍ରାମରୁ ଗ୍ରାମାନ୍ତରରେ ଆସ୍ଥାନ ମାଡ଼ି ବସେ । ପୁନଶ୍ଚ ଦୂରାଞ୍ଚଳରୁ ଆସିଥିବା ଭାଉଜମାନେ ନଣନ୍ଦମାନଙ୍କୁ ମଧ୍ୟ ଶିଖାଇ ଦେଇଥାନ୍ତି । ରୁଚିକର ଏବଂ ଉପାଦେୟ ତଥା ମର୍ମସ୍ପର୍ଶୀ ହେଲେ ଏ କବିତାମାନ ଅନ୍ତରାତ୍ମାରେ ତୁରନ୍ତ ଆସନ ମାଡ଼ି ବସିଥାଏ ।

 

ବନପକ୍ଷୀ ଭଳି ବଢ଼େଇଥିଲୁ ଲୋ ବୋଉ

ବେଳକାଳ ଦେଖି ଉଡ଼େଇଦେଲୁ ଲୋ ବୋଉ ।

 

କାବତା ଯେମନ୍ତ ବନେ ଝୁରଇ, ବାପା ହେ

ତେମନ୍ତ ତୁମ୍ଭଙ୍କୁ ଝୁରି ମରିବି, ବାପା ହେ ।

(ଉତ୍କଳ ଗାଉଁଲି ଗୀତ)

ମାତୃ ପିତୃ-ଗତପ୍ରାଣା କନ୍ୟାର ଏ କାରୁଣ୍ୟ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥାଏ ।

କାନ୍ଦଣା ଅସଭ୍ୟ ମନୋବୃତ୍ତିର ପ୍ରତୀକ ବୋଲି କେହି କେହି ଭାବନ୍ତି । କିନ୍ତୁ ସେମାନେ ଦଶରଥ ବିଳାପ, ଅଜବିଳାପ, ରତିବିଳାପ ଏବଂ ଗୋପୀବିଳାପ ସମ୍ବନ୍ଧରେ ଚର୍ଚ୍ଚା ନକରି ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତାର ମମତାହୀନ ନିଷ୍ଠୁର ହୃଦୟ କଥା ଭାବିହିଁ ଏହି ନିଷ୍ପତ୍ତି ଦେଇଥାନ୍ତି । ଅବଶ୍ୟ ଦେଶରେ ବର୍ତ୍ତମାନ ଲୋତକର ପ୍ରୟୋଜନୀୟତା ଲୋପ ହୋଇ ଆସୁଛି । ଏଣିକି କର୍ପୂର ଧାସରେ ବା ପିଆଜ କାଟିବା ବେଳରେ ଯେତିକି ଲୋତକ ବହିବ । ଅଥବା ଲୁହବୁହା ଗ୍ୟାସ୍‍ ପ୍ରୟୋଗଦ୍ୱାରା ଯେତିକି ଲୁହ ଗଡ଼ିବ । ଏହା ସକଳ ଜୀବନରେ ସଂଭବ ନୁହେଁ । ନିଷ୍ଠୁରତା, ସମାଜର ସେହି କୋମଳ ବୃତ୍ତିମାନଙ୍କୁ ଲୋପ କରି ଚାଲିଛି । ଏ କି ପ୍ରକାର ଜୀବନ ସୃଷ୍ଟି ହେଉଛି ତାହା ଭଗବାନ ଜାଣନ୍ତି ।

ଯାହାହେଉ, ଏ କାନ୍ଦଣା ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡେଇତ, କୃଷକ, ହରିଜନ ଆଦି ନାନା ସମାଜ ମଧ୍ୟରେ ନାନା ଅନୁଭୂତି ଘେନି ଶୁଣା ଯାଇଥାଏ । ତେଣୁ ସଂଗ୍ରାହକ ଏହିଗୁଡ଼ିକ ଠିକ୍‌ ନାରୀ ତୁଣ୍ଡରୁ ସଂଗ୍ରହ କରି ନ ପାରିଲେ ତାହା କେବେ ଉପାଦେୟ ହେବ ନାହିଁ ।

କନିଅର ଫୁଲ ଅଗ ଡାଳକୁ ଲୋ ବୋଉ

କିଏ ଖଞ୍ଜିଦେବ ସଞ୍ଜବେଳକୁ ଲୋ ବୋଉ ।

ପାଞ୍ଚବେଳ ଖିଆ ପଞ୍ଚୁଭୋଜନ ଲୋ ବୋଉ

ଏକାବେଳରେ କି ସରିବ ଦିନ ଲୋ ବୋଉ ।

ସକାଳ ଗାଧୁଆ ସଞ୍ଜ ହୋଇବ ଲୋ ବୋଉ

ଖାଇନାହିଁ ବୋଲି କିଏ କହିବ ଲୋ ବୋଉ ।

ସକାଳୁ ଚାହିଁବି ସଞ୍ଜ ସରିକି ଲୋ ବୋଉ

କେହି ନ ଦିଶିବେ ତୁମ୍ଭ ପରିକି ଲୋ ବୋଉ ।

କନ୍ୟା କିପରି ମାତୃବତ୍ସଳା ଏବଂ ଏ ଜାତିର ସାମାଜିକ ଜୀବନରେ ‘ମାଆକୁ ଝିଅ ଘା’ କୁ ଘିଅ’ ପ୍ରବାଦର ମଧୁର ସଂଯୋଗ କିପରି ରକ୍ଷା କରେ, ତାହା ଆମେ ଏଥିରୁ ଯେପରି ନିବିଡ଼ ଭାବରେ ଧାରଣା କରିପାରୁଁ, ସେପରି ବିଶୁଦ୍ଧ ମନୋହର ସଂଗ୍ରହ ପ୍ରତି ଆମେ ଯେବେ ମନୋଯୋଗୀ ନ ହେଉଁ, ତେବେ ଆମର ସାହିତ୍ୟ ମଣି ମୁକ୍ତାର ମଞ୍ଜୂଷା ନ ହୋଇ ବହୁ ଆଳିମାଳିର ପେଟିକା ହେବ ମାତ୍ର ।

ଆଳୁ ପତରିଆ ମହଣ ପାନ,

ହେ ନୂଆ ବୋହୂ

ଆଉକି ଦେଖିବି ଜନମ ଥାନ

ହେ ନୂଆ ବୋହୂ ।

ଚକୁଳି ପିଠା ତ ଅଣ ଲେଉଟା

ହେ ନୂଆ ବୋହୂ

 

 

 

ଆଉ କି ଦେଖିବି ଜନମ କୋଠା

ହେ ନୂଆ ବୋହୂ ।

(ଉତ୍କଳ ଗାଉଁଲି ଗୀତ)

 

ନିଜର ଜନ୍ମଭୂମି ପ୍ରତି ଏହି ଯେଉଁ ଗଭୀର ଆକର୍ଷଣ ଏହା ସମ୍ଭବତଃ ଓଡ଼ିଶାର ଅନ୍ୟ କେଉଁ କବି ତାଙ୍କ କାବ୍ୟ କବିତାରେ ଦେଇଥିବେ କି ନା ବିଚାର୍ଯ୍ୟ । ତେଣୁ ଏହି କାନ୍ଦଣାମାନଙ୍କ ମଧ୍ୟରେ ଏପରି ଦୁର୍ମୂଲ୍ୟ ଚିନ୍ତାଧାରାମାନ ଥାଏ ଏବଂ ଏପରି ଅଦୂଷିତ ସରଳ ପ୍ରାଣର ସନ୍ଧାନ ମିଳିଥାଏ ଯେ, ଶୁଣିଲେ ସ୍ତମ୍ଭିତ ହେବାକୁ ହୁଏ । ଏ ଜାତିର ଐତିହ୍ୟ ଏବଂ ସଭ୍ୟତା କେତେ ଆଦିମ ପୁଣି କେତେ ଉଜ୍ଜ୍ୱଳ !

 

ଗ୍ରାମ୍ୟଗୀତମାନଙ୍କର ପ୍ରକୃତ ଚର୍ଚ୍ଚା ଏବେ ମଧ୍ୟ ହୋଇନାହିଁ । ଏମନ୍ତ କି ସଂଗ୍ରହ ମଧ୍ୟ ସରିନାହିଁ । ଯାହା ସଂଗୃହୀତ ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ଅଟେ । ଯେଉଁ ସଂଗ୍ରହ ଆମ ସମ୍ମୁଖକୁ ଆସିଛି ସେ ସମସ୍ତରୁ ଅଧିକାଂଶ ନାରୀ ମୁଖରୁ ଅଥବା ନିରକ୍ଷର ଜନସମାଜ ମୁଖରୁ ଆସିଥିବାରେ ସନ୍ଦେହ ଆପେ ଆପେ ଆସିଯାଇଛି । ସେ ଭାଷା, ସେ ଭାବ ସମ୍ପଦ ଆମକୁ ରୁଚିକର ମନେ ହେଉନାହିଁ । ବାଜେ ଛବିକୁ ଯେତେ ସୁନେଲି ଫ୍ରେମ ଦେଇ ବନ୍ଧାଇଲେ କଣ ହେବ , ତାହାର ନିକୃଷ୍ଟତା ଆପେ ଧରା ପଡ଼ିଯିବ । କାଚ ସର୍ବଦା କାଚ ରହିବ । ମଣି ସର୍ବଦା ମଣି ରହିବ ।

 

ଆମର ସଂଗ୍ରହ ଉପରେ ସମାଲୋଚନା କରିବାକୁ ଯେତେବେଳେ ବିଜ୍ଞ ସମାଜ ଆଗ୍ରହୀ ହେବେ ସେତେବେଳେ କିଏ କାଚ କିଏ ମଣି ସହଜରେ ଧରା ପଡ଼ିଯିବ ।

Image

 

ଦୋଳି ଗୀତ

 

‘ଆଷାଢ଼ସ୍ୟ ପ୍ରଥମ ଦିବସ’ ପୂର୍ବରୁ ଉତ୍କଳର ଘରେ ଘରେ ରଜପର୍ବ ଆସିଯାଏ । ଦୋଳି ସାଙ୍ଗକୁ ବେଶ ଭୂଷାର ଆଡ଼ମ୍ବର ଘରେ ଘରେ ପ୍ରକାଶ ପାଏ ।

 

ଗଛଡାଳରେ ଦୋଳିରେ ବସି ଝୁଲୁଥିବା କିଶୋରୀ ତୁଣ୍ଡରୁ ଶୁଭେ–

 

ରଜ ଦୋଳି ଖେଳୁଥିଲି

ଭାଇ ଡାକିଦେଲେ କନକ ବୋଲି

ହାତ ଧୋଇ ଭାତ ଦେଲି ।

ରଥରୁ ଖମ୍ବ ଖସିଲା

ଭାଇନା କାନରେ ନୋଳି ବସିଲା

ଭାଉଜ ଦେଖି ହସିଲା ।

(ଉତ୍କଳ ଗାଉଁଲି ଗୀତ)

 

ଦୋଳିଗୀତ ଗ୍ରାମେ ଗ୍ରାମେ ଜନପଦେ ଜନପଦେ ପୂରିରହିଛି । ଗାଁକୁ ଗାଁ ବୁଲି ଝିଅ ବୋହୂଙ୍କ ସାଥି ନହେଲେ ସେଗୁଡ଼ିକ ସଂଗୃହୀତ ହେବା ଅସମ୍ଭବ । ଯାହା ସଂଗ୍ରହ ହୋଇଛି, ତାହାଠୁଁ ଶତ ସହସ୍ର ଗୁଣ ଏବେ ମଧ୍ୟ ରହିଛି ।

 

କିଶୋରୀ କନ୍ୟାର ଅନିନ୍ଦ୍ୟ ମଧୁର ମୂର୍ତ୍ତି ସାଙ୍ଗକୁ ଦୋଳିର ଏ ସଙ୍ଗୀତ ପଲ୍ଲୀ ପଥକୁ ଅତ୍ୟନ୍ତ ମଧୁର କରିଦିଏ ।

 

ପୁଣି ଯେତେବେଳେ କିଶୋରୀ ଦଳ ବେଢ଼ି ରହି ବିଶ୍ୱର ମନୋହର ରତ୍ନରୂପିଣୀ, ପ୍ରସ୍ଫୁଟିତା ପଦ୍ମିନୀ ‘ନବବଧୂ ରାଣୀ’ଙ୍କୁ ଦୋଳି ପହଞ୍ଚାଇବାକୁ ଜିଗର କରି ଆଣୁଥାନ୍ତି, ସେ ‘ନାହିଁ’ ‘ନାହିଁ’ କରି ବିଜେ କରିବା ବେଳର ଦୃଶ୍ୟ ଯେ ନ ଦେଖିଛି ସେ ଦୋଳି ଗୀତର ସଂଗ୍ରାହକ ହେବେ କିପରି ? କବି କହିଛନ୍ତି–

 

ଲୋଳାଂ ଦୃଷ୍ଟି ମିତସ୍ତତୋ ବିତନୁତେ ସଭ୍ରୂଲତାବିଭ୍ରମାଂ

ଆଭୁଗ୍ନେନ ବିନର୍ତ୍ତିତା ବଳିମତା ମଧ୍ୟେନ କମ୍ରସ୍ତନୀ ।

ହସ୍ତାଗ୍ରଂ ବିଧୁନୋତି ପଲ୍ଲବନିଭଂ ଶୀତ୍‌କାରଭିନ୍ନାଧରା

ଜାତେୟଂ ଭ୍ରମରାଭିଲଂଘନଭିୟା ବାଦ୍ୟୈର୍ବିନା ନର୍ତ୍ତକୀ ।

 

ସେ ମନୋହର ବକ୍ଷ,ସେ ଭ୍ରୂବିଳାସ, ଚଞ୍ଚଳଦୃଷ୍ଟି ଏପାଖ ସେପାଖ ହୋଇ ଲାଜରେ ଅନେଇଁବାବେଳେ ତରଙ୍ଗିତ ହୋଇ ନାଚି ଉଠିବା, ପଲ୍ଲବ ସଦୃଶ କୋମଳ ହାତ ହଲେଇ ‘ନାହିଁ’ ଯିବି ନାହିଁ’ ନାହିଁ ମୁଁ ଯିବି ନାହିଁ କହି ସୀତ୍‍କାର କରିବା .......ଦୃଶ୍ୟ ଦେଖି ମନେହୁଏ ବିଶ୍ୱଶୋଭାରାଣୀ ନୃତ୍ୟ କରୁ...................

 

ଦୋଳି ଉପରେ ବିଶ୍ୱମନୋରମା କୁଟୀର ରାଣୀ ବିଜେ ହୁଅନ୍ତି । ମୁଣ୍ଡର ଗଭା ମୁକ୍ତ ହୋଇଯାଏ । ବକ୍ଷର ସେହି ମନୋହର ହାର ଦିଶିଯାଏ । ଆଲକ୍ତକ ରଂଜିତ କୋମଳ ପାଦପଦ୍ମ ଅଗ୍ରବର୍ତ୍ତୀ ହୋଇ ସମଗ୍ର ଜଗତକୁ କ୍ରୀତଦାସ କରିବାକୁ ଆହ୍ୱାନ କରେ । କୋମଳ କର ପାପୁଲିରେ ଦୋଳିର ଡୋରି ଧରି ସେ ଯେତେବଳେ ପବନ ସ୍ରୋତରେ ଭାଷି ଉଠନ୍ତି, ସେତେବେଳେ କାମ ନିଜେ ମଧ୍ୟ ଅଥୟ ହୋଇଥାଏ । ବହୁ କିଶୋରୀଙ୍କଠାରେ ଫୁଟି ଉଠେ ଦୋଳିଗୀତ–

 

ପିତା ଶାଗ କୁଦି କୁଦି

ଭାଇ କାହା ସଙ୍ଗେ କଲେ ପୀରତି

ହାତୁ ଦେଇ ସୁନା ମୁଦି ।

(ଉତ୍‌କଳ ଗାଉଁଲିଗୀତ)

 

ବିଶ୍ୱ ବିଜୟିନୀ ଚମତ୍‌କାର ଭାବରେ ନଣନ୍ଦକୁ ନିଜ କୋଳକୁ ଭିଡ଼ିନେଇ ମୁଖରେ ମୁଖ ଲଗାଇ କହନ୍ତି–‘‘ଭାରି କହିଲା ବାଲୀ ?’’ ଟହଟହ ହସରେ ସେହି ନିର୍ଜ୍ଜନ ପଲ୍ଲିପଥ ଆନନ୍ଦ ମୁଖରିତ ହୋଇଯାଏ । ଜୀବନର ପୁନର୍ଜ୍ଜନ୍ମ ସେଇଠି ଲୁଚିଯାଏ । ଜୀବ ଶିବ ହୁଏ । ସମସ୍ତ ଭୋଗ ସରିଯିବାରୁ ନିର୍ବାଶ ମିଳିଯାଏ ।

 

ସଂଗ୍ରାହକ ଏହି ବୈକୁଣ୍ଠ ଧାମରୁ ଦୋଳିଗୀତ ସଂଗ୍ରହକଲେ ଓଡ଼ିଆ ଜାତିକୁ ତାର ସେହି ବିଶ୍ୱଜୟୀ ଉତ୍ତମ କଳା-ମାଦକତା ଦାନ କରିବେ ସିନା ?

Image

 

ଓଷା ଦିନର ଶପଥ ଗୀତ

 

ଓଷା ଆସିଯାଏ । ଓଷା ଦିନ ସକାଳେ କିଶୋରୀମାନେ ଭାଉଜଙ୍କ ସାଥିରେ ପାହାନ୍ତରୁ ଗାଧୋଇ ନଦୀ ..... କୂଳରେ ବିଭିନ୍ନ ଫୁଲ ଫଳ ସଂଗ୍ରହ କରି ସେମାନ ଡାଲାରେ ଥୋଇ ତା’ସବୁ ଗୋଟି ଗୋଟି ଛୁଇଁ ନିଜର ଭବିଷ୍ୟତ ଶୁଭ ମନାସନ୍ତି । ସେ ଦୃଶ୍ୟ ଅତୀବ ମନୋହର ହୋଇଥାଏ-। ଏହି ଶପଥମାନ ଜାତିର ଏହି ଅମୂଲ୍ୟ ନିଧି ଗୁଡ଼ିକୁ ଅବିଚଳିତ ଓ ସଂକଳ୍ପ ବଦ୍ଧ କରି ରଖିବା ଯୋଗୁଁ ଏ ଜାତିର ଜାତୀୟତା, ଶାନ୍ତି, ସଂଯମ ଓ ବିକାଶ ଯେ ଅକ୍ଷୁଣ୍‌ଣ ଥିଲା ଏଥିରେ ସନ୍ଦେହ ନାହିଁ । କାରଣ ଗୃହସ୍ଥାଶ୍ରମର ମନୋରଥ ପୂରଣ ହିଁ ଜାତିର ସ୍ଥାୟିତ୍ୱର ମୂଳ ପିଣ୍ଡ ଅଟେ ।

 

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର

 

ଏହି ପରସ୍ପର ସ୍ନେହ, ଦଂପତୀଙ୍କ ଅଭେଦପ୍ରୀତିରୁ ହିଁ ସଂଭବ ହୁଏ । ତେଣୁ ଯୋଗୀଶ୍ୱର ଶିବଙ୍କୁ ଅର୍ଦ୍ଧନାରୀଶ୍ୱର ରୂପେ କଳ୍ପନା କରାଯାଇଛି ।

 

କିଶୋରୀମାନେ ଭବିଷ୍ୟତରେ ଯେ ଦେଶର ଗୃହିଣୀ ହେବେ ସେହି ଉଦ୍ଦେଶ୍ୟରେ ଏ ଶପଥମାନ ଏକାନ୍ତ ପ୍ରୟୋଜନ ହେଉଥିଲା ।

 

ସ୍ୱାମୀର ନିରାମୟ ଆୟୁ କଳ୍ପନାରେ

ଘିନେ ଗଉରା ! ଗଇଶ ମୁଣ୍ଡି

ମତେ କରିଥିବ ସିନ୍ଦୂର ମୁଣ୍ଡି ।

ଘିନେ ଗଉରା ! ଗଇଶ ମୁଣ୍ଡି

ମତେ କରିଥିବ ଆଇଁଷ ତୁଣ୍ଡି ।

 

ହେ ଗଉରା–କି–ଗୌରୀ ! (ପାର୍ବତୀ) ମୁଁ ଗଇଶ ମୁଣ୍ଡି (ତୁମ ସ୍ୱାମୀ ଶିବଙ୍କର ପ୍ରିୟ ପୁଷ୍ପଗୁଚ୍ଛ) ଘେନୁଛି କି ସ୍ପର୍ଶ କରି ଶୁଭ ଯାଚନା କରୁଛି, ମତେ ତୁମେ ଚିରଦିନ ସିନ୍ଦୂର ମୁଣ୍ଡି କି ସଧବା କରିଥିବ ।

 

ଏହି ଶପଥ ପଦ୍ଧତି ଏତେ ସୁନ୍ଦର ଭାବରେ ଜୀବନକୁ ସ୍ପର୍ଶ କରିଥାଏ ଯେ, କିଶୋରୀ ସ୍ୱାଧୀନ ବିହଙ୍ଗମ ଥାଇ ମଧ୍ୟ ଅନ୍ତରେ ଅନ୍ତରେ ତାର ପରବର୍ତ୍ତୀ ଜୀବନର ସ୍ୱପ୍ନକୁ ଲକ୍ଷ୍ୟ କରୁଥାଏ । ତାର ଭବିଷ୍ୟତରେ ଧନ, ସନ୍ତାନ, ସ୍ୱାମୀ ଗୃହ ପରିବାର, ପଡ଼ୋଶୀ କିପରି ପ୍ରୟୋଜନ ହେବେ, ପୁନଶ୍ଚ ସେ ସଂପର୍କମାନ କିପରି ମଧୁରତର ହେବ, ସେଥିପାଇଁ ସେ ଉତ୍ତମ ମନୋଭାବ ପୋଷଣ କରିବାର ଶିକ୍ଷା କରିଥାଏ ।

 

ଘିନେ ଗିଲ

ପୁଅଝିଅ କରି କରେଁ ଗେଲ ।

 

ଗିଲପରି ସୁଗୋଲ ସୁଠାମ ବହୁ ସନ୍ତାନର ସେ ଜନନୀ ହେବାକୁ ଇଚ୍ଛା ପୋଷଣ କରିଥାଏ । କାରଣ ଗୃହସ୍ଥାଶ୍ରମରେ ସନ୍ତାନ ହିଁ ମହାନ୍‌ସମ୍ପଦ ଅଟେ ।

 

ଘିନେ ବେଣା

ବାର ବରଷର ଖାଏ ପୁରୁଣା ।

 

ବେଣାଗଛ ସ୍ଥାୟିତ୍ୱରେ ଯେପରି ଠିକ୍‌ ସେହିପରି ତାକୁ ସ୍ପର୍ଶ କରି କିଶୋରୀ ଶପଥକରେ, ସେ ଯେପରି ଭବିଷ୍ୟତରେ ସଞ୍ଚୟ ପଟୁ ହୋଇ ବାରବର୍ଷର ପୁରୁଣା ଶସ୍ୟ ଖାଇବାକୁ ପାଏ ।

Image

 

ଗୋଠବାହୁଡ଼ା ଗୀତି

 

ସଂଜହେଲେ ଦଳଦଳ କିଶୋରୀ ଗୋଠ ବାହୁଡ଼ା ସମୟରେ ପିଣ୍ଡା ଦାଢ଼ରେ ଗୋଡ଼ ଲମ୍ବାଇ ବସି ‘‘ମହାପ୍ରହୁ ସେ’’ ‘ଘୋଷା’ ଦେଇ ଏକ ସଙ୍ଗୀତ ଗାନ କରିଥାନ୍ତି । ଏହି ସଙ୍ଗୀତ ଗୁଡ଼ିକ ଦୋଳିଗୀତ ସଦୃଶ । କେବଳ ଏଥିରେ ‘ଘୋଷା’ଟି ଅଧିକ ଶୁଣାଯାଇ ଥାଏ । ଏବଂ ମିଳିତ କଣ୍ଠରେ ତାହା ମନୋରମ ଶୁଭିଥାଏ । ପ୍ରତି କିଶୋରୀ ପଦେ ପଦେ ଗୀତି ଗାଇଥାନ୍ତି ।

 

କୋଇଲି ବୋବାଏ ଡାଳେ,

ଘରକୁ ଗଲେ ମୋ ମାଆ ମାରିବ ଲୋ

ବୁଲୁଥିବି ତୋଟା ମାଳେ ।

ମହାପ୍ରହୁ ସେ ।

କୁଆଁର ପୁନିଅଁ ଜହ୍ନ,

ସମସ୍ତେ ପିନ୍ଧିଲେ ନୂଆଁ ଲୁଗାମାନ ଲୋ

ମହାପ୍ରହୁ ସେ ।

ଲଇଁ ତୋଳୁଥିଲି ଜହ୍ନି,

ଏଇବାଟେ ଗଲା ତୋହରି ନାନୀ ଲୋ

ଦିଶିଗଲା କମ କାନି

ମହାପ୍ରହୁ ସେ ।

Image

 

ନାଁ ଦିଆ

 

ରାତ୍ର କିଏ ହେଲେ ଚଉପାଢ଼ୀରେ ଅଥବା ନୂଆବୋହୂଙ୍କ ଗମ୍ଭୀର ଘର ଦୁଆର ମୁହଁରେ ନାଁ ଦିଆ ଆରମ୍ଭ ହୋଇଯାଏ । ଏହି ନାଁ ଦିଆରେ କିଶୋର କିଶୋରୀ ସମସ୍ତେ ଯୋଗ ଦେଇଥାନ୍ତି-। ବୁଦ୍ଧିର ପରୀକ୍ଷାପାଇଁ ଏହାଠୁ ଉପାଦେୟ ବିଷୟ ଗ୍ରାମ୍ୟ ଜୀବନରେ ନଥାଏ । ଦିନକୁଦିନ ନୂଆ ନୂଆ ରଚନାମାନ ଶୁଣାଯାଏ । ଜଣେ ପଚାରେ ଅନ୍ୟମାନେ ଉତ୍ତର କରନ୍ତି । ଏହି ନାଁ ଦିଆମାନ ପରଂପରା ଧରି ପ୍ରଚଳିତ ଥାଏ ଅଥବା କେତେକ ନୂତନ ସୃଷ୍ଟି ହୁଏ ।

 

ଅମଞ୍ଜା ମଞ୍ଜା

ମଞ୍ଜି ନାହିଁ ତାର ଭୂଇଁରୁ ଗଜା

(ଛତୁ)

ଗଛ ଲହକା

ପତର ବଙ୍କା

ତା ଫଳଟା ଷାଠିଏ ଟଙ୍କା

(ଧାନ)

 

ଏ ସବୁ ସଂଗ୍ରହ ହେଲେ ଏକ ଉପାଦେୟ ବିରାଟ ଗ୍ରନ୍ଥ ହେବା ଅନୁମାନ କରାଯାଏ । କିନ୍ତୁ ଏ ଦିଗରେ ଏବେ ମଧ୍ୟ ଆମର ଉଦ୍ୟମ ଏକାନ୍ତ ସୀମାବଦ୍ଧ । ସମଗ୍ର ପ୍ରାକୃତିକ ଉତ୍‌କଳର ଗ୍ରାମେ ଗ୍ରାମେ ଛତୁଫୁଟିଲାପରି ଏ ଗୁଡ଼ିକ ସୁଖ ଏବଂ ଆନନ୍ଦ ସମୟରେ ପ୍ରକାଶିତ ହୋଇଥାଏ । ଏ ପ୍ରକାର ଆନନ୍ଦ ମଧ୍ୟ ଜନସମାଜ ମଧ୍ୟରୁ ଲୁଚି ଯାଉଛି, ତେଣୁ ଏ ସବୁ ସଂଗ୍ରହ ଲାଗି ତର ତର ହେବା ବିଧେୟ ।

Image

 

ପୁଚି ଖେଳ

 

ପିଚାର ସଂକୋଚ ଏବଂ ପ୍ରସରଣ ଘେନି ଏହି ଖେଳର ନାମ ପୁଚି ଦିଆଯାଇଛି । ସ୍ତ୍ରୀମାନଙ୍କର କିଶୋରୀ ଅବସ୍ଥାରେ ଏ କ୍ରୀଡ଼ା ଭବିଷ୍ୟତ ଜୀବନର ନିରାମୟ ଲାଗି ବଡ଼ ଉପାଦେୟ ହୋଇଥାଏ । ଏ କ୍ରିଡ଼ା ପ୍ରତି ଆମ୍ଭମାନଙ୍କର ସୁଦୃଷ୍ଟି ଏବେ ମଧ୍ୟ ପଡ଼ିନାହିଁ । ଅଥବା ଏ କ୍ରୀଡ଼ା ଘେନି ବିଜ୍ଞାନମଧ୍ୟ ଅଦ୍ୟାପି କୌଣସି ଚର୍ଚ୍ଚା କରି ନାହିଁ ।

ସଙ୍ଗୀତ ଗାଇ ଗାଇ କିଶୋରୀମାନେ ଏହି କଷ୍ଟ ସାଧ୍ୟ କ୍ରୀଡ଼ା କରିଥାନ୍ତି । ଠିଆ ପୁଚି, ବସା ପୁଚି ଦୁଇ ପ୍ରକାର ଖେଳ ହୁଏ ।

ପୁଚିଲୋ ଯା ଘୁଞ୍ଚିଲୋ

ବାଡ଼ିଆଡ଼େଗୋଧି

ପୁଚି ନ ଜାଣୁଚୁ ମାଇପି ଟୋକି

କିଏ ଶିଖାଇବ ବୁଦ୍ଧି ।

କିଶୋରୀମାନଙ୍କୁ ଏହି ଖେଳର ତତ୍ତ୍ୱ ମଧ୍ୟ ପ୍ରୌଢ଼ାମାନେ ସମଝାଇ ଦେଇଥାନ୍ତି । ତା’ଛଡ଼ା ଏହା ଦ୍ୱାରା ଜଣକ ସାଥିରେ ଜଣକର ପ୍ରତିଦ୍ୱନ୍ଦିତ ଆସିବାରୁ ଖେଳ ତୃପ୍ତି ଜନକ ହୋଇଥାଏ ।

ମଦରଙ୍ଗା ଶାଗ ରାଇତା

ମୋର କଳା ମଚ ମଚ ଘଇତା

ଏ ଗୋଡ଼ ଖସିଲା

ସେ ଗୋଡ଼ ଖସିଲା

ଟୋକା ଦିଅର ମୋ ଗମ୍ଭୀରିଘରେ

ମୁଚୁ ମୁଚୁ ହସିଲା

ସର୍ବାଞ୍ଚଳରେ ନାନା ଐତିହାସିକ ଘଟଣା ସହିତ ସମ୍ପର୍କରଖି ଏହି ପୁଚି ଖେଳର ଗୀତମାନ ଶୁଣାଯାଇଥାଏ ।

କିଶୋରୀମାନ କଣ୍ଠରୁ ଏହିପରି ନାନା ଘଟଣାରେ ନାନା ହାସପରିହାସରେ, ନାନା କ୍ରୀଡ଼ା କୌତୁକରେ ସହସ୍ର ସହସ୍ର ସଙ୍ଗୀତ ଫୁଟିଉଠେ-ରାତ୍ର ପାଇଲେ । କୁଆ କା’ ନ କରୁଣୁ ରାତ୍ର ଦୁଇ ପହର ଯାଏ ସଙ୍ଗୀତର ଲହରି ଫୁଟି ଉଠେ ଚଉଦିଗରେ । ଏବେ ସେ ସଙ୍ଗୀତମୟ ଜୀବନ ଅତି ଦୁଃଖପ୍ରଦ ଭାବରେ ସମାଧି ନେଉଛି । ଓଡ଼ିଆ ଜାତିର ପ୍ରାଣପିଣ୍ତ ଧୀରେ ଲୁଚି ଯାଉଛି । ଏସବୁ ସଂଗ୍ରହ ହୋଇ ରଖାଯାଇଥିଲେ କେଉଁ ମହତ୍ମା କେଉଁ ସମୟରେ ଅବା ତାର ତାତ୍‌ପର୍ଯ୍ୟପ୍ରତି ପ୍ରଲୋଭିତ ହୋଇଥାନ୍ତେ ? କିନ୍ତୁ ତତ୍‌ପ୍ରତି ଦୃଷ୍ଟି ଆଣିବ କିଏ ?

କହ କେ ସମର କୁଳ ଉଦ୍ଧରିବ ଭାଇ

ଦେଶ ପ୍ରେମୀ କର୍ମ ବୀର ଭଗୀରଥ କାହିଁ ?

କେବଳ ଦେଶପ୍ରେମୀ କେହି ଏହା କରିପାରିବେ ନାହିଁ । କାରଣ ଏ ପ୍ରଲୋଭିତ ଯୁଗରେ ପେଟରେ ଓଦାକନା ଦେଇ ଏ ସାଧନା କରିବାକୁ ବ୍ୟକ୍ତି ନାହାନ୍ତି । ତେଣୁ ସାଧାରଣ କର୍ତ୍ତୃତ୍ୱ ଜାଗ୍ରତ ହେଉ ।

Image

 

ଶିଶୁ ଗୀତିକା

 

ଧରଣୀର ସର୍ବାଞ୍ଚଳରେ ‘ଲୋଲି’-ପିଲା ଭୂଲାଣିଆ ସଙ୍ଗୀତ, ଶୁଣାଯାଇ ଥାଏ । ଉତ୍‌କଳରେ ଏ ସଙ୍ଗୀତମାନ ଇଂରେଜି ଶିକ୍ଷାର ପ୍ରଭାବ ଯୋଗୁଁ ପ୍ରାୟ ଲୁପ୍ତ ହୋଇ ଗଲାଣି । ଅତି ନିବିଡ଼ ପଲ୍ଲୀରେ ବର୍ତ୍ତମାନ ଏ ପଦମାନ ମିଳିବା ସଂଭବ । ଜନନୀମାନେ ସଙ୍ଗୀତ ସାହାଯ୍ୟରେ ଶିଶୁର ନିଦ୍ରା ଆଉ ଜନମାଉ ନାହାନ୍ତି । ସେ ସୁକୋମଳ ମନୋହାରିତା ସମାଜର ଯେପରି କାହାର କର୍କଶ ଯୋଜନାରେ ବିଦାୟ ନେଇଯାଇଛି ।

 

ଶିଶୁର କୋମଳ କରପଲ୍ଲବ ଦୁଇଟି ଚଞ୍ଚଳ କରିବାକୁ ‘‘ତାଳି ତାଳି-ବନମାଳୀ ’’ରୁ ଏହି ସଙ୍ଗୀତ ଆରମ୍ଭ ହୋଇଥାଏ ।

 

ଶିଶୁ ଖାଇବା, ତେଲ ଲଗାଇବା, ଝୁଲିବା, ହସିବା, ଶୋଇବା, ସବୁ ସମସ୍ୟାରେ ଓଡ଼ିଆ ଜନନୀ ସଙ୍ଗୀତ ଗାଇ ତାର ମନ ମୁଗ୍‌ଧ କରି ତାର ଉନ୍ନତ ଜୀବନର ମୂଳଦୂଆ ସ୍ଥାପନ କରିଥାନ୍ତି । ସଙ୍ଗୀତ ସାହିତ୍ୟପ୍ରତି ଉଚ୍ଚ ମନୋରମ ପ୍ରବୃତ୍ତି ତାର ଅନ୍ତରରେ ସଂଚାରିତ କରିବା ଲାଗି ଏ ଯେଉଁ ଶୁଭ ଉଦ୍ୟମ, ତା ବଂଚାଇ ରଖି ପାରିଲେ ଜାତିର ମଙ୍ଗଳ ସାଧିତ ହେବ ।

 

ଝୁଲୁହାତୀ ଝୁଲୁହାତୀ

ଝୁଲିଲେ ଖାଇବୁ ଖଣ୍ତଛାଚି

ମୋର ହାତୀ ଝୁଲୁରେ

କିଆ କନ୍ଦା ଖାଇ ଫୁଲୁରେ

ମୋର ହାତୀ ଝୁଲୁରେ

‘ଧୋ’ରେ ବାୟା ଧୋ

ଯୋଉ କିଆରିରେ ଗହଳ ମାଣ୍ତିଆ

ସେହି କିଆରୀରେ ଶୋ’-ଗାଈ ଶୁଆଇବାକୁ,

 

‘ଗିଲିଗିଲି ଗୁଣ୍ତି ଗୀତ’ ଗାଇ ଖୁଆଇବାକୁ, ଜନନୀ ଯେତେବେଳେ ଖାଉଥାନ୍ତି ସେହି କୋମଳ ସୁନ୍ଦର ଶିଶୁଟି ଦରୋଟି ବଚନରେ କହିଥାଏ ‘ଆଉ’, ‘ଆଉ’ । କି ରମଣୀୟ ଦୃଶ୍ୟ ! ବିଶ୍ୱ ଜଗତରେ ଏ ମାଧୁରୀଠୁ ଅଧିକ ମାଧୁରୀ ନଥିବ ପରା ! ଏ ସଂପଦ ଯେଉଁ ପୁରୀରେ ନାହିଁ ସେ ପୁରୀ ଶ୍ମଶାନ ପ୍ରାୟ । ଏ ‘ଆଉ’, ‘ଆଉ’ ଧ୍ୱନି ଯେଉଁଠି ନାହିଁ ସେଠି ଜୀବନ ଧରି ଯେ ରହେ ସେ ନିଷ୍ଠୁର, ହୃଦୟହୀନ ଆପେ ପାଲଟିଯାଏ ବୋଧହୁଏ।

 

ଏହିସବୁ ସଂଗୀତ ବ୍ୟତୀତ, ବାତ୍ସଲ୍ୟରେ ଶିଶୁର ଶିକ୍ଷାପ୍ରତି ପ୍ରବୃତ୍ତି ଅଧିକରୁ ଅଧିକ ଆଣିବାରେ, ତାର ସମଗ୍ର ବିଶ୍ୱ ପ୍ରୀତି ସଂଚାର କରାଇବାରେ, ଯେଉଁ ସବୁ ସଂଗୀତ ଓଡ଼ିଆ ମାତୃ ମୁଖରେ ଗୀତ ହୋଇଥାଏ, ତାହା ଏକାନ୍ତ ଉପାଦେୟ ଏବଂ ଚମତ୍‌କାର ଅଟେ ।

 

କୋରାପୁଟର ଆଦିବାସୀ ଜନନୀ, ମୟୁରଭଂଜ କେନ୍ଦୁଝର ଆଦି ଭୂୟାଂ ଜନନୀ ତୁଣ୍ତରେ ଏ ସଂଗୀତ ଏବେମଧ୍ୟ ସହସ୍ର ସହସ୍ର ରହିଅଛି । ସେ ସଂଗୀତମାନଙ୍କରେ ବହୁ ଉପାଦେୟ ସାହିତ୍ୟ ଥିବାର ଦେଖାଯାଇଅଛି । ସେଥିରୁ ଗୋଟିଏ ପଦ ଆମେ ସଂଗ୍ରହ କରିପାରି ନାହୁଁ । ପ୍ରଫେସର ଦେବେନ୍ଦ୍ର ସତ୍ୟାର୍ଥୀ (ଭାରତୀୟ ଗ୍ରାମ୍ୟ ଭାଷାର ଜଣେ ନିପୁଣ ଗ୍ରାହକ) ସେଥିରୁ ସାମାନ୍ୟ କେତୋଟି ସଂଗ୍ରହ କରି ମଡ଼ର୍ଣ୍ଣରିଭ୍ୟୁ, ବିଶ୍ୱମିତ୍ର ଆଦି କାଗଜରେ ଦେଇଥିବାର ଲେଖକ ଦେଖିଥିଲେ ଏବଂ ତାଙ୍କଠାରୁ ଏ ବୃତ୍ତାନ୍ତ ଶୁଣିଥିଲେ ।

 

ଏହି ଶିଶୁଗୀତିକା ମଧ୍ୟରେ କିପରି ଅତି ଉପାଦେୟ କଥା ଅଛି ତାହାର ନଜିର ଦିଏଁ । ଆଜି ଭାରତରେ ଶିକ୍ଷାବିଦ୍‌ମାନେ ତିନୋଟି ଭାଷା ଶିକ୍ଷା କରିବାକୁ ବାଧ୍ୟତାମୂଳକ ରଖିଛନ୍ତି । କିନ୍ତୁ ଉତ୍‌କଳରେ କେଉଁ ଅତୀତ ଯୁଗରୁ ତତ୍‌ପ୍ରତି ସାଧାରଣ ଗ୍ରାମ୍ୟ ବଧୂ ମୁଖରେ ମଧ୍ୟ ସେ ଧାରଣା ଦିଆଯାଇଥିଲା । ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

 

ଓଡ଼ିଆତେଲଗୁ ନାଗରୀ ଜାଣ

ନପଢ଼ିଲେ କାହୁଁ କରିବୁ ଟାଣ ?

ମୂର୍ଖହେଲେ ବଳା ତ୍ରୀଷାଣେ ପଶେ

ଲୁହା ଭାର ତାର କନ୍ଧରେ ବସେ ।

ଗୋରୁ ଛେଳି ରଖି ବଞ୍ଚନ୍ତି ଦିନ

ପାଞ୍ଚଲୋକେ ବଳା କରନ୍ତି ହୀନ ।

 

ଏଥିରେ ଓଡ଼ିଆ (ନିଜର ମାତୃଭାଷା,) ତେଲଗୁ (ପଡ଼ୋଶୀ ଭାଷା,) ଏବଂ ନାଗରୀ (ଜାତୀୟ ସର୍ବାଞ୍ଚଳର ରାଜକୀୟ ଭାଷା) ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଅଛି ।

Image

 

ଢଗଢମାଳି

 

ଢଗ ଢମାଳିମାନ ପଲ୍ଲୀ ସଂଗୀତ ଅନ୍ତର୍ଗତ ହେବା ସମୀଚୀନ କି ନାଁ, ଅନେକ ପଣ୍ତିତ ସନ୍ଦେହ କରିଥାନ୍ତି । ଏହାର କାରଣ ଯେ, ସେ ସମସ୍ତର ସୁଚାରୁ ଶ୍ରେଣୀ ବିଭାଗ ଅଭାବରୁ ସେମାନେ ଏହି ସନ୍ଦେହରେ ଉପନୀତ ହୋଇଥାନ୍ତି । କିନ୍ତୁ ପଲ୍ଲୀ ସଂଗୀତ ମଧ୍ୟରେ ଢଗ ଢମାଳିମାନ ଅନ୍ତର୍ଗତ ନହେଲେ ତାର ଯାଥାର୍ଥ୍ୟ ସୁସଂପନ୍ନ ହୋଇ ପାରିବ ନାହିଁ କାରଣ ପଲ୍ଲୀର ଭାଷା, ଇତିହାସ, ସାମାଜିକତା, ନୀତି ଆଦିର ସେମାନେହିଁ ଉପଯୁକ୍ତ ସାକ୍ଷ୍ୟ ପ୍ରଦାନ କରିଥାନ୍ତି । ସେ ସବୁକୁ ଛାଡ଼ିଦେଲେ, ଗ୍ରାମ୍ୟ ସାହିତ୍ୟର ମୂଳଦୁଆ ରହେନାହିଁ ।

 

ଅଖଳ ମଖଳ ଚିତ୍ତ ଯାର

ପଦ୍ମପରି ପୁତ ତାର ।

ଛିଲୋ ଛତୁ

ପାଣି ବରଷିଲେ କେତେ ମାତୁ ।

ଦୋଳପୁନିଅଁ ଫଗୁ

ଯେ ଯାର ସେ ତାର

କହିଲା ଲୋକ ଲଘୁ ।

ଫଟା ମୃଦଙ୍ଗକୁ ଜଡ଼ା ବାୟକ

କାଣୀ ଦାରୀ ତହିଁ ନାଚୁଛି

ଅବୁଝା ରଜାକୁ ବେବୁଝା ମନ୍ତ୍ରୀ

ଯାହା ଇଛା ତାହା ବୁଝୁଛି ।

 

ଏଗୁଡ଼ିକ ପଦ୍ୟାତ୍ମକ ଅଟେ । ଓଡ଼ିଆ ଛାନ୍ଦର ବିକାଶ ଏଥିରୁ ଜଣାଯାଇଥାଏ । ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁ ଏହି ପଦ୍ୟାତ୍ମକ ଢଗଢମାଳିରୁ ଓଡ଼ିଆ ଛାନ୍ଦର ଇତିହାସ ଘେନି ଯେଉଁ ମୂଳପତ୍ତନ ପକାଇଥିଲେ ସେ ସେଇଥିପାଇଁ ଅମର ହେଲେହେଁ ଅଦ୍ୟାବଧି ସେ ସଂପର୍କରେ ଅଧିକ ଆଲୋଚନା ପ୍ରସୃତ ହୋଇପାରିନାହିଁ । ପଣ୍ତିତ ଗୋପୀନାଥ ନନ୍ଦ ଶର୍ମା ତାଙ୍କର ଶବ୍ଦତତ୍ତ୍ୱ ବୋଧ ଗ୍ରନ୍ଥରେ ଯେଉଁ ଆଲୋଚନା କରିଗଲେ ସେ ଗ୍ରାମ୍ୟ ସଂଗୀତ ଓ ଗ୍ରାମ୍ୟ ସାହିତ୍ୟ ଅଭାବରୁ ତାଙ୍କର ଆଲୋଚନା ସଂପୂର୍ଣ୍ଣ କରିପାରି ନଥିଲେ । ସେ ଆଲୋଚନା ମଧ୍ୟ ଏତେ ଦୀର୍ଘକାଳ ମଧ୍ୟରେ କେହି ପୂର୍ଣ୍ଣ କରିପାରି ନାହାନ୍ତି । ପଣ୍ତିତ ନୀଳକଣ୍ଠ ଦାସ ଏବେ ଭାଷାର କ୍ରମ ବିକାଶ ଘେନି ଯେତିକି ଚିନ୍ତାଧାରା ଦାନ କରି ଅଛନ୍ତି ସେତିକି ମାତ୍ର ।

 

ଗଦ୍ୟାତ୍ମକ ଢଗ ହେଲା–

 

ଲୁହା ଜାଣି କମାର ପାଣିଦିଆ ।

ଶୁଖିଲାରେ ଫାଳଘାଆ ।

ପୋଡ଼ିଗଲା ତିଅଣରେ ଆଉ କି ସୁଆଦ ?

ତୁଣ୍ତ ନରେନ୍ଦ୍ର ପିଠି ଅରକ୍ଷିତ ।

ତିନି ତୁଣ୍ତରେ ଛେଳି କୁକୁର ।

କରତ ଯୁଆଡ଼ୁ ଭିଡ଼ିଲେ ସିଆଡ଼ୁ କାଟେ ।

ଅଜାଗା ଘା ଦେଖି ହୁଏ ନାହିଁ କି

ଦେଖେଇ ହୁଏ ନାହିଁ ।

 

ଆକାଶର ତାରା ପରି ଉତ୍କଳର ପ୍ରାନ୍ତେପ୍ରାନ୍ତେ, କୋଣେ କୋଣେ, ଘରେ ଘରେ, ତୁଣ୍ତେ ତୁଣ୍ତେ ଏସବୁ ଏପରି ପୂରି ଅଛନ୍ତି । ଯାହା ସଂଗୃହୀତ ହୋଇଛି ତାହା ସିନ୍ଧୁକୁ ବିନ୍ଦୁପରି ହେବ । ଏହି ଦୁର୍ମୂଲ୍ୟ ପ୍ରବଚନମାନ ସଂଗ୍ରହ କରିବା ଲାଗି ବହୁ ସାଧନା ଏବଂ ପରିଶ୍ରମ ଲୋଡ଼ା । କାରଣ, ଘଟଣାକୁ ଚାହିଁ ଅନୁଭବରୁ ଏସବୁ ଲୋକ ତୁଣ୍ତରୁ ଫୁଟିଥାଏ । ତେଣୁ ସଙ୍ଗେ ସଙ୍ଗେ ଲେଖା ନଥିଲେ ତାହା ପୁଣି ଲୁଚିଯାଏ ।

 

ଦନେଇ ଭଣତିରେ ପଦ୍ୟାତ୍ମକ ଏକ ଏକ ଢଗ ଗ୍ରାମେ ଗ୍ରାମେ ଶୁଣାଯାଏ । ସେ ‘ଦନେଇ’ କିଏ ଓ ସେ ବିଚକ୍ଷଣ ପୁରୁଷ ଜଣକ କେତେ ସହସ୍ର ଅମୂଲ୍ୟରତ୍ନ ଗଢ଼ିଥିଲେ, ତାହା ଅଦ୍ୟାପି ସଂଗ୍ରହ ହୋଇପାରି ନାହିଁ ବା ଜଣା ଯାଇନାହିଁ । ସେ ଏକା ନୁହନ୍ତି ତାଙ୍କପରି ଓ ଉତ୍‌କଳରେ ଅନେକ ବିଜ୍ଞ ମଧ୍ୟ ଅଜ୍ଞାତରେ ଅଦ୍ୟାପି ରହିଛନ୍ତି । ଲୀଳାବତୀ ସୂତ୍ର ଗଣିତର ଲୀଳାବତୀଙ୍କ ପରିଚୟ ଲୁଚି ଗଲାଣି ।

 

‘ଦନେଇ ଭଣତି’ ଢଗ ଉଦାହରଣ ସ୍ୱରୂପ ଦେଖାଯାଉ–

 

ଯେଉଁ ଚଢ଼େଇର ବାଟରେ ବସା

ପୋଇଲି ହୋଇ କରଇ ଓଷା

ପାଣି ବୁହାନ୍ତିଙ୍କ ମୁଣ୍ତରେ ଖୋସା

କହେ ଦନେଇ ଏ ଫସର ଫସା ।

 

ଅନ୍ୟତ୍ର କେଉଁଠି କେଉଁଠି ଶୁଣାଯାଏ–

 

ପାଣି ବୁହାନ୍ତିଙ୍କ ମୁଣ୍ତରେ ଖୋସା

ପୋଇଲି ହୋଇ କରନ୍ତି ଓଷା

ପରଗାଈ ଦୁହାଁ ପରଘର ପସା

କହେ ଦନେଇ ଏ ଦଶମ ଦଶା ।

ପୁନଶ୍ଚ–ଟକଳା ଗୁଡ଼ିଆ ଧଇଁଆଁ ତେଲି

ଛୋଟା ଦଣ୍ତୁ ଆସି ଛେଳିଆ ମାଳୀ

ଅରୁଚ ବ୍ରାହ୍ମଣ କୁରୁଚା ଧୋବା

କହେ ଦନେଇ ଏ ଖାଆନ୍ତି ଖୋବା ।

 

ଏ ସବୁ ଏତେ ସୁନ୍ଦର ଏବଂ ଚମତ୍‌କାର ଯେ, କହୁ କହୁ ମୁଖସ୍ଥ ହୋଇଯାଏ। ଜୀବନର ଅନୁଭୂତିମାନ ବିଚକ୍ଷଣ ଭାବରେ ମନକୁ ମନାଇ ଦେଇଥାଏ । ଏସବୁ ସଂଗ୍ରହ ମୂଳରୁ ହୋଇନାହିଁ କହିବାକୁ ହେବ । ଯାହା ହୋଇଛି ଗଣତିରେ କେତୋଟି ମାତ୍ର ।

 

ଢମାଳି ମଧ୍ୟରେ ରହସ୍ୟାତ୍ମକ, କୋବାବାଡ଼ିଆ, ଢୁମ୍ପା ବଜାଇବା, ଶୁଖିଲାସୁଆଦ ଆଦିରେ ବହୁ ମଧୁର ଆନନ୍ଦଜନକ ରସଗର୍ଭ ପଦବିନ୍ୟାସ ଶୁଣାଯାଏ ।

 

ରହସ୍ୟାତ୍ମକ–

 

କଷି ସଜନା ଦେହକୁ ଅନା

କଳା ବାଇଗଣ କଷି

 

କାହିଁକି ନାଗରୀ ଅନାଉଁ ନାଇଁଲୋ

ବଇସ ଯାଇଛି ଖସି

 

କୋବାବାଡ଼ିଆ ଢମାଳି–

 

ନଇ ପାଣି ହୁକୁହୁକୁ ରେ ନଇପାଣି ହୁକୁହୁକୁ

ଅଇଲା କାଳିଆ ଧଇଲାବୁକୁ ମୋ

ଛାତି କଲା ଦୁକୁ ଦୁକୁ

ସେତ,କାନକୋଳି କଣ୍ଟା

ଲାଗିଗଲେ ହେବ ଲଟା ପଟା

 

ଢୁମ୍ପା ବାଡ଼ିଆ ଢମାଳି–

 

ଧୋବାଘର ତାଟି ମେଲାରେ ଆରେ ମୋ ବନ୍ଧୁରେ

ଧୋବା ଘର ତାଟି ମେଲା,

ସୁରତି ଲଗାଇ ପୀରତି କଲା ମୋ

ସେହି ଧାରମୁହାଁ ପିଲା ରେ

ନ ଯା ତେଲଙ୍ଗାପେଣ୍ଠ

ତେଲିଘଣା ଡାକେ କଟ କଟ ରେ ନ ଯା ।

ସୂତା କାଟିଗଲି ଖିଏ ଯାଇଫୁଲ

ସୂତା କାଟିଗଲି ଖିଏ,

ଡେଙ୍ଗା ହୋଇ କରି ପତଳାଟିଏ,

ତାକୁ ମୁରୁଛିବ କିଏ ଲୋ

ଲଙ୍କାମରିଚ ଫୁଲ

ତୋତେ କିଏ କେତେ କଲା ମୂଲ ଲୋ ଲଙ୍କାମରିଚ ।

 

ଶୁଖିଲା ସୁଆଗ–

 

ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠାଆ

ଯୋଉ ବାଟେ ବାଟେ ଅଇଲ ବନ୍ଧୁ

ସେହି ବାଟେ ବାଟେ ଯାଆ

 

ଢମାଳି ବ୍ୟତୀତ କୃଷିବଚନ, ନ୍ୟାୟ ବଚନ, ସଂସ୍କୃତପ୍ରବାଦ, ଇତିହାସ ବଚନ, ପଶୁ ଓ ଗୋ ବଚନଆଦି ଏହି ଢଗଢମାଳି ଶ୍ରେଣୀର ଅନ୍ତର୍ଗତ ଅଟେ । ଯଥା–

 

କୃଷି ବଚନ–

 

ଶ୍ରାବଣ ଧୋଇ ବାଧଇ ନାହିଁ

ଭୋଦୁଅ ଧୋଇ କିଛି କିଛି ଥାଇ

ଆଶ୍ୱିନ ଧୋଇ ସମୂଳେ ଯାଇ ।

 

 

 

ନ୍ୟାୟ ବଚନ–

 

ଅଇ ଘେରାକୁ ବାଇଗଣ ଫୋପଡ଼ା ନ୍ୟାୟ ।

ଚୋରକୁ ମାନକରି ଖପରାରେ ଖାଇବା ନ୍ୟାୟ ।

 

ସଂସ୍କୃତ ପ୍ରବାଦ–

 

ଅଜୀର୍ଣ୍ଣେ ବାରି ଭୋଜନଂ

ଅଭାଗ୍ୟକାଳେ ବିପରୀତ ବୁଦ୍ଧି ।

 

ଇତିହାସ ବଚନ–

 

ହଳଦୀ ମଖାମଖି

ସୁବର୍ଣ୍ଣରେଖା ପାରହେଲେ

କୁଟୁମ୍ବ ଦେଖା ଦେଖି ।

କଟକ ଚିନ୍ତା ବାଇମୁଣ୍ତିକି ।

 

ପଶୁ ଓ ଗୋ ବଚନ–

 

ବଳଦ କିଣିବ ଖରୁଆ

ଗାଈ କିଣିବ ଘରୁଆ

ମଇଁଷି କିଣିବ ଭେଡ଼ି

ଛେଳି କିଣିବ ଦାଢ଼ୀ ।

 

ଏ ସମସ୍ତର ବିଜ୍ଞାନସମ୍ମତ ସଂଗ୍ରହ କରାଗଲେ ଗୋଟିଏ ଶିକ୍ଷିତ ଦମ୍ପତି ସେ କାର୍ଯ୍ୟରେ ନିଯୁକ୍ତ ହେବା ଏକାନ୍ତ ପ୍ରୟୋଜନ ହେବ । ଯେ ଏହି ବିଷୟରେ ପ୍ରବୀଣତା ଲଭିଥିବେ ଏବଂ ଘରେ ଘରେ ଆପଣାର ହୋଇ ପାରିବେ,ସେ ଏ ସମସ୍ତ ସଂଗ୍ରହ କରିବାରେ କ୍ଷମ ହେବେ । ଏହି ଦୁର୍ମୂଲ୍ୟ ପଦମାନ ଏବେ ମଧ୍ୟ ଗ୍ରାମେ ଗ୍ରାମେ, ଅଞ୍ଚଳେ ଅଞ୍ଚଳେ ପୂରି ରହିଛି । ଅଦୂର ଭବିଷ୍ୟତରେ ଏ ସବୁ ଶୂନ୍ୟ ହୋଇଯିବ ।

 

ପୁନଶ୍ଚ ଏହି ବିଭାଗରେ ‘ନାଥ ବଚନ’ ବୋଲି ଏକ ଉପାଦେୟ ରଚନା ଶୁଣା ଯାଇଥାଏ-। ସେ ‘ନାଥ’ କିଏ, ତାଙ୍କର ଜୀବନ ଗାଥା କଣ, ସେ କେତେ ସଂଖ୍ୟାରେ ଏ ସବୁ ରଚନା କରିଥିଲେ ତାହା ଅଦ୍ୟାପି ଜଣା ଯାଇ ନାହିଁ କି କେହି ସେଥିରେ ମନୋଯୋଗ କରି ନାହାନ୍ତି ।

 

ତାଙ୍କ ରଚନାର ଉଦାହରଣ–

 

ବାଡ଼ି ଠୁକୁ ଠୁକୁ କାନ୍ଧେ ଲଡ଼କା

ବାଟେ ଦ୍ୱିଜବର ଦେଖିବ ଏକା,

ପାଆକେ କୁମ୍ଭାର କୋଶକେ ତେଲି

‘ନାଥ’ ବୋଲେ ପୁତା ନଯିବ ପେଲି ।

 

ପୂର୍ବେ ଇନ୍ଦ୍ରଧନୁ ପଶ୍ଚିମେ ରୋହି

‘ନାଥ’ ବୋଲେ ନିଶ୍ଚେ ପଡ଼ିବ ଧୋଇ ।

Image

 

କୃଷକ ବୋଲି

 

କୃଷକମାନଙ୍କ ତୁଣ୍ତରୁ ଦୁଇପ୍ରକାର ସଙ୍ଗୀତ ଶୁଣାଯାଏ । କୃଷିକାର୍ଯ୍ୟରେ ଶ୍ରମ ଲାଘବପାଇଁ ଏକ ପ୍ରକାର ଏବଂ ଶଗଡ଼ ଚଳାଇବାବେଳେ ଅନ୍ୟ ପ୍ରକାର ସଙ୍ଗୀତ ଶୁଣାଯାଇ ଥାଏ-। ସେ ସବୁର ସଂଖ୍ୟା ଏତେ ଅଧିକ ଯେ ତାହା ସହସ୍ର ନ କହି ଅସଂଖ୍ୟ କହିବା ସମୀଚୀନ ହେବ ।

 

କୃଷକ ଚାଷ କଲାବେଳେ ନିଜ କୃଷିର ଏବଂ ତା’ କୃଷିଯନ୍ତ୍ରର ପ୍ରଶଂସା ଗାଇ ମୋହିତ ହୋଇଯାଏ ।

 

‘ରାମ ନେଲେ ହଳ ଯେ ଲକ୍ଷ୍ମଣ ନେଲେ ମଇ

କେଉଁ ଦିଗେ ମେଘ ଯେ ବରଷା ତିନ୍ତିଲେ ବେନି ଭାଇ ହୋ ।

ସୁବର୍ଣ୍ଣର ଲଙ୍ଗଳକୁ ଯେ ରୂପାର ଜୁଆଳି

ମନ ଚଇତନ ହୋ ବଳଦ ହଳିଆ ବନମାଳୀ ହୋ ।

 

ଖଇର ଖୁଣ୍ଟିଆ ଲୋ ବାନ୍ଧଣର ଇଶ

ବାଘ ପାଣି ଖାଏ ଟେକି ଦେଇ ନିଶ

ଘୋଡ଼ା ପାଣି ଖାଏ ଲୋ * ବାଖର ବୁଡ଼ାଇ

ହସ୍ତୀ ପାଣି ଖାଏ ଯେ ଝିମାଇଁ ଝିମାଇଁ ହୋ ।

 

*

ବାଖର–ଘୋଡ଼ାପିଠିର ଆସ୍ତରଣ ।

 

କୃଷକ କୃଷିବେଳେ ବିହୁଡ଼ା, ବଛା, ମଇଦିଆ, ହିଡ଼ହଣା, ସର୍ବ କର୍ମ୍ମରେ ସଙ୍ଗୀତକୁ ସାଥି କରେ ଏବଂ ଶଗଡ଼ ଚଳାଇବାବେଳେ ସେ ତାର ଅତୀତର ବୋଇତ ସବୁର ସ୍ୱପ୍ନ ଦେଖି ଗାନ କରିଥାଏ–

 

ଡେଙ୍ଗା ତାଳଗଛ ତ ଖାଇଲେ ବାଦୁଡ଼ି

ବୋଇତୁ ସାତ ଭାଇ ନଇଲେ ବାହୁଡ଼ି

ବାପ ଘରେ ଝିଅ ହୋ ରହିଲା

କରମ ଆଦରି ହୋ ।

 

କେବଳ ସେତିକି ନୁହେଁ, ଦାଣ୍ତଧୁଆ ନାମରେ ଏକ ଏକ ଖଣ୍ତା କବିତା ଏବଂ ବହୁ ଦାର୍ଶନିକ କବିତାରେ ତାର ପଦସମ୍ଭାର ସାହିତ୍ୟର ଅପୂର୍ବ ସାମଗ୍ରୀ ଅଟନ୍ତି । ରାଧାକୃଷ୍ଣଙ୍କ ସମ୍ପର୍କରେ, ଜଗନ୍ନାଥ ଏବଂ ରାମାୟଣ ଘେନି ତାର ସଙ୍ଗୀତମାନ ନାନା ସ୍ୱତନ୍ତ୍ର ଉନ୍ନତ ଚିନ୍ତାର ଉପାଦାନ ଦେଇଥାନ୍ତି ।

 

ଯାହା ଏ ବିଭାଗରେ ଆଜି ସୁଦ୍ଧା ସଂଗ୍ରହ ହୋଇଅଛି ତାହା ବେଳା ଭୂମିର ଉପଳ ଖଣ୍ତ ମାତ୍ର । ସେ ସବୁ ସଂଗ୍ରହ କରିବାକୁ ହେଲେ ଆମକୁ ଗ୍ରାମେ ଗ୍ରାମେ ଘୂରିବାକୁ ହେବ । ପୂରାତନ କୃଷକ ପରିବାରରେ ମିଶିଯିବାକୁ ହେବ । ଏମନ୍ତ କି କୃଷକ ଦମ୍ପତିର ସୁଖ ଦୁଃଖରେ ସାଥିହେଲେ ଯାଇ ସେ ସଙ୍ଗୀତ ମିଳିବ ।

Image

 

ସମର ବୋଲି

 

ଏ ଦେଶରେ ସମରଗୀତି ନାହିଁ ବୋଲି ଆଗରୁ କୁହାଯାଉଥିଲା । କିନ୍ତୁ ଏ ଜାତି କେବଳ ତାର ଜୀବନକାଳ ମଧ୍ୟରେ ଯୁଦ୍ଧକୁ ହିଁ ନିଜର ଭାଗ୍ୟ ବୋଲି ଧାର୍ଯ୍ୟ କରିଥିଲା । ମହାଭାରତ ଯୁଗରୁ କଳିଙ୍ଗଃ ସାହସିକଃ, ଅଶୋକଙ୍କ ସମୟରୁ ‘ଅବିଜିତ’ ବୋଲି କଥିତ ଥିଲା ।

 

ମହାଭାରତ ଯୁଦ୍ଧରେ କଳିଙ୍ଗମାନେ ପୃଥ୍ୱୀକ୍ଷୟକର ରଣ କରିଥିବାର ବର୍ଣ୍ଣନା ରହିଅଛି । କଳିଙ୍ଗମାନେ ବୋଇତରେ ନାନାଦେଶ ଆବିଷ୍କାର କରିଥିବା, ଏମନ୍ତକି ଯୁଦ୍ଧ କରି ପୃଥିବୀ ଜୟ କରିଥିବା କଥା ଆଉ ଅଜଣା ନାହିଁ । ଯେଉଁ ଦେଶର ଶିଶୁ ବର୍ଷାଗମରେ–

 

ମେଘ ବରଷିଲା ଟୁପୁରୁଟାପର

କେଶୁର ମାଇଲା ଗଜା

ସୋନାପୁରଠେଇଁ ଟମକ ବାଜିଲା

ଲେଉଟି ଅଇଲେ ରଜା–

 

ଗାଇ ଗାଇ ନାଚିଥାଏ ଯାହାର ଯୋଦ୍ଧୃପିତା ନିଶ୍ଚୟ ଯୁଦ୍ଧ କ୍ଷେତ୍ରରୁ ଫେରି ଆସୁଛନ୍ତି, ସେ ଦେଶରେ ସମର କବିତା ନାହିଁ ବୋଲି କିପରି କଳ୍ପନା କରାଯିବ ? ବଡ଼ଯେନାଙ୍କ ‘ସମର ତରଙ୍ଗ’ ଅଥବା ଗୋବିନ୍ଦ ବଡ଼ପଣ୍ତାଙ୍କ ବୀରସର୍ବସ୍ୱ ଓଡ଼ିଆଙ୍କ ସିଦ୍ଧିର ମୂଳ ପିଣ୍ତ ତେବେ କିପରି ? ଓଡ଼ିଆମାତ୍ରେ ଯୁଦ୍ଧବିଳାସୀ । ପ୍ରତିଘରେ ଖଣ୍ତା-ତରବାରୀ, ଛୁରୀ, କଟାରୀ । ଏଇ କାଲି ୧୮୧୭ର ଭୟାବହ ଯୁଦ୍ଧରେ ପିପିଲିରେ ଇଂରେଜ ରକ୍ତପାନ କରିଛି କେତେ ଓଡ଼ିଆ ସୈନିକର ତରବାରି । ଖଣ୍ତାୟତ୍ତ ଜେମାର ଖଡ଼ୁମୁଷା ବାଜି ଭଗାରିର କେତେ ଉଷ୍ଣରକ୍ତ ଧରଣୀ ପାନ କରିଛି-ଏବେ ସୁଦ୍ଧା ସେ ରକ୍ତର ଦାଗ ଲିଭି ନଥିବ ।

 

କିନ୍ତୁ ଓଡ଼ିଆ ତାର କର୍ମ୍ମବିପାକ ଭୋଗିଛି । ଯେ ଯେତିକି ଉଠେ ସେତିକି ପଡ଼େ । ‘‘ପରାଙ୍‌ମୁଖୀ ବିଶ୍ୱସୃଜଃ ପ୍ରବୃତ୍ତିଃ ।’’ ଇଂରେଜ ଏ ଦୁର୍ଦ୍ଧର୍ଷ ଜାତିକୁ ତଣ୍ଟିଚିପି ମାରି ଦେଇ ଯାଇଛି । ତେଣୁ ସେ ଏବେ ମଧ୍ୟ ନିଷ୍ପ୍ରଭ, ଦୀନ, ହତୋତ୍ସାହ । ନଚେତ୍‌ ତା ପରି ସମର ବିଶାରଦ ଥିଲା କିଏ-?

 

ପାଏକ ସାଧନା ଶେଷରେ ଯେତେବେଳେ ତରବାରି ଘୂରାଏ, ତା ରାଷ୍ଟ୍ରର ଗୌରବ ଗାଥା କହି କହି-

 

ବୀର ଶ୍ରୀ ଗଜପତି ଗଜ ଈଶ୍ୱର

ବୀରାଧିବୀରବର ପ୍ରତାପି ଗଉଡ଼େଶ୍ୱର

କଳିଯୁଗ ଷଷ୍ଢା

ଝାଡ଼ପାତିଶା ଖଣ୍ତା

ନବ କୋଟି କର୍ଣ୍ଣାଟ କୁଳବର୍ଗ ଚଣ୍ଡା–

(ଉତ୍କଳ ଗାଉଁଲି ଗୀତ)

 

ସେତେବେଳେ ମୁମୂର୍ଷୁର ମଧ୍ୟ ପ୍ରାଣ ସଞ୍ଚାର ହୋଇଯାଏ । ଯେ ତା’ ଦେଖିଛି ସେ ଜାଣିଛି । ଏବେ ମଧ୍ୟ ଗଡ଼ଜାତରେ ସେ ଦୃଶ୍ୟ ଏକାବେଳେ ଲୁଚିଯାଇ ନାହିଁ । ଦଣ୍ତୀ ମହାରାଣୀ, ଶୁକଦେଈ ସାଆନ୍ତାଣି, ପାଟଜେମା ଅନ୍ନପୂର୍ଣ୍ଣା ଏବେ ମଧ୍ୟ ଖଣ୍ତାୟତ୍ତ ଗ୍ରାମରେ ଦେଖାଯାନ୍ତି । ସେ ରୂପ ନଥିବ କିନ୍ତୁ ସେ ଦୃଢ଼ତା, ସେ ଶୌର୍ଯ୍ୟର କିୟଦଂଶ ବଞ୍ଚି ରହିଛି ।

 

ପାଏକ ବୋଲି ଏବଂ ଯାଦବ-ଗୋପାଳମାନଙ୍କ ବୋଲି ଯାହା ସଂଗୃହୀତ ହୋଇଅଛି ତାହା ଅତି ସାମାନ୍ୟ । ସେଥିପାଇଁ ଅର୍ଥ ଯଥାଯୋଗ୍ୟ ବ୍ୟକ୍ତିଙ୍କ ନିଯୋଗରେ ବ୍ୟୟ ନ ହେଲେ ତାହା ସଂଗୃହୀତ ହୋଇ ପାରିବ ନାହିଁ । ଏବଂ ଏହି ପାଞ୍ଚ ଦଶ ବର୍ଷ ମଧ୍ୟରେ ସେ ସବୁ ସଂପୂର୍ଣ୍ଣ ଲୁଚିଯିବ । କାରଣ ୧୯୪୮ ରେ ଯାହା ଥିଲା ୧୯୫୮ ରେ ତହିଁରୁ ଅର୍ଦ୍ଧାଂଶ ଲୁଚି ଗଲାଣି । ଏଦିଗରେ ଆମେ ଦୃଷ୍ଟିଦେବା ସମୀଚୀନ ହେବ ।

Image

 

ବନ୍ଦନାଗୀତିକା

 

ପଲ୍ଲୀ ଗ୍ରାମରେ ସଂଜ ସକାଳେ ଦେବା ଦେବୀଙ୍କ ଉଦ୍ଦେଶ୍ୟରେ ନରନାରୀ ଏବଂ ଶିଶୁ ବୃଦ୍ଧଙ୍କ ତୁଣ୍ତରେ ଯେଉଁସବୁ ବନ୍ଦନା ଗୀତ ଶୁଣା ଯାଉଥିଲା, ସେ ସବୁ ଧୀରେ ଧୀରେ ସଂକୁଚିତ ହୋଇ ଗଲାଣି । କାରଣ ଈଶ୍ୱର ବିଶ୍ୱାସ ପ୍ରତି ବର୍ତ୍ତମାନ ଲୋକଙ୍କର ଆପେଆପେ ବିରୋଧ ଭାବ ଆସି ଯାଇଛି ।

 

ଧରଣୀ ଆଜି ପରମାଣୁ ଅସ୍ତ୍ରରେ ସୁସଜ୍ଜିତ ହୋଇ ଏହି କାରଣରୁ ଲୁପ୍ତ ହେବାକୁ ବସିଛି-କେବଳ ତାହା ନୁହେଁ, ସମଗ୍ର ପଲ୍ଲୀ ଆଜି ବାରୁଦ ସ୍ତୂପରେ ପରିଣତ ହେଲାଣି । ପ୍ରଚାରକ ନାହାନ୍ତି ବା ପ୍ରଚାର ହୋଇନାହିଁ । ତେଣୁ ଦେବ ବନ୍ଦନା, ସ୍ତୁତିମାନ ଜନମନରୁ କ୍ରୋଧ ଏବଂ ଦୁଃଶ୍ଚିନ୍ତା ଯୋଗୁଁ ଲୁଚି ଯିବା ଉପରେ । ଏସବୁ ତୁରନ୍ତ ସଂଗ୍ରହ ନହେଲେ ଆମର ଏକ ଗୌରବ ପରଂପରା ଆମ୍ଭେମାନେ କାଳକାଳ ଧରି ହରାଇ ବସିବା ।

 

ହରିହର ଆତ୍ମାଆମ ନୁହେଁ ଭିନ୍ନାଭିନ୍ନ

ଥିର କରି ଦୁଇ ସଖୀ ତାହା ତୁମ୍ଭେ ଘେନ ।

 

ହରିଦ୍ୱାର, ହରଦ୍ୱାର କଳହରେ ପ୍ରତିବର୍ଷ ଶତ ସହସ୍ର ବ୍ୟକ୍ତି ନିହତ ହୁଅନ୍ତି । କିନ୍ତୁ ଓଡ଼ିଶାର ଗ୍ରାମ୍ୟ ନାରୀ ସେହି ଅଭିନ୍ନ ବାର୍ତ୍ତା କେଉଁ ଯୁଗରୁ ଏହିପରି ଭାବରେ ପ୍ରଚାର କରି ଚାଲିଛି-। ଏମନ୍ତକି ଏହି ଉତ୍କଳ ହରିହରମୂର୍ତ୍ତି (ଲିଙ୍ଗରାଜ) ଯେ କେବଳ ଭୂବନେଶ୍ୱରରେ ନୁହେଁ ଗ୍ରାମେ ଗ୍ରାମେ ମଧ୍ୟ ପ୍ରତିଷ୍ଠା କରିଅଛି । ଏପରି ଧର୍ମ୍ମଦ୍ୱେଷ ନିରାକରଣର ସୁନ୍ଦର କୌଶଳ ଅନ୍ୟ କେଉଁ ଦେଶରେ ଅଛି କିନାଁ ଦେଖିବାକୁ ହେବ ।

Image

 

ନୃତ୍ୟଗୀତି

 

ପଲ୍ଲୀର ବିଭିନ୍ନ ନୃତ୍ୟ ମଧ୍ୟରେ ଦଣ୍ତ ନୃତ୍ୟର ଗୀତମାନ ଅତି ଉପାଦେୟ ଥିଲା । ତାହା ମଧୁ ରାଧାନାଥଙ୍କ ନବ୍ୟ ସାହିତ୍ୟରେ ପାରଂଗମ ଶିକ୍ଷିତମାନେ ଏବେ ଏକାବେଳେ ବଦଳାଇ ଦେଲେଣି । ସେ ପୁରାତନ ମାଧୁର୍ଯ୍ୟ, ଭାଷାର କୋମଳତା, ଭାବଗର୍ଭକ ରଚନାମାନ ଭାଗବତକୁ ବିକୃତ କରି ‘ତା’ ଶୁଣି କୁ-‘ତାହାଶୁଣି’ ନବୁଝି ‘ଚାଷୁଣୀ’ ବୁଝି ‘ଗୌଡ଼ୁଣୀ’ ସଂଶୋଧନ କଲାପରି ଅତି ପାଣ୍ତିତ୍ୟରେ ବିଭ୍ରାଟ ହୋଇ ଗଲାଣି । ସେ ଗୀତ-ମାନ ସଂଗ୍ରାହକ ମୂର୍ଖ ଦଣ୍ତୁଆଙ୍କଠାରୁ ସଂଗ୍ରହ କଲେ ପୁରାତନ କବିତାର ଛାଞ୍ଚ ମିଳିବାର ଆଶା ହୁଏ । ସେହି ଗୀତଗୁଡ଼ିକ ମୂର୍ଖ ତୁଣ୍ତରେ ଅନେକ ପ୍ରମାଦଗ୍ରସ୍ତ ହୋଇ ଯାଇଥିବ ସତ । କିନ୍ତୁ ଚେଷ୍ଟାକଲେ ସେଥିରୁ ପ୍ରକ୍ଷିପ୍ତାଂଶ ଦୂରହୋଇ ଏମନ୍ତକି ଅଶୁଦ୍ଧ ସଂଶୋଧିତ ହୋଇ ମୂଳ ଅଂଶ ନିଶ୍ଚୟ ମିଳିପାରିବ ।

ବଜାରେ ବଜା

ଢୋଲିଆ ରତନ ବାଇଦ ବଜା

ଆହୁରି ବଜା

ନବଖଣ୍ତ କରି ଢୋଲ ତୁ ବଜା

ମୁଁ ତ ପତରସଉରା ରଜା ହେ

ସଭାଜନେ ।

ନୃତ୍ୟ ଶାସ୍ତ୍ରରେ ନବଖଣ୍ତ ବାଦ୍ୟ ତାଣ୍ତବନୃତ୍ୟ ପାଇଁ ଅଭିପ୍ରେତ । ଆମର ପତରସଉରାର ନୃତ୍ୟ ଯଦ୍ୟପି ଚମତ୍କାର ଏବଂ ପ୍ରଲୋଭନୀୟ ତଥାପି ତାହା ଅଦ୍ୟାପି ଭାରତ -ଚକ୍ଷୁ ବା ବିଶ୍ୱ-ଚକ୍ଷୁ-ହେବାର ସୁଯୋଗ ଲାଭକରି ପାରିନାହିଁ ।

ଦଣ୍ତକା ନୃତ୍ୟରେ ମଧ୍ୟ ପତର ସଉରା-ପତର ସଉରୀଣୀ, ଯୋଗୀ-ଯୋଗିଆଣୀ, ଚଢ଼େୟା-ଚଢ଼େୟାଣୀ, ବୀଣାକାର-ବୀଣାକାରୁଆଣୀ ନୃତ୍ୟ ଦାମ୍ପତ୍ୟ ଜୀବନର ଏକପତ୍ନୀବ୍ରତର ଉତ୍‌କୃଷ୍ଟ ଚିତ୍ରଣ ଘେନି କରାଯାଇଥାଏ । ମନେ ହୁଏ ଭଞ୍ଜଙ୍କ ଲାବଣ୍ୟବତୀ, ଚନ୍ଦ୍ରଭାନୁ ଯେପରି ଘରେ ଘରେ ବିରାଜିତ ହେବେ । ଏତଦ୍ୱାରା ତାର ଯଥାସାଧ୍ୟ ଉଦ୍ୟମ ହୋଇଥାଏ ଅବା ।

Image

 

ଯାତ୍ରା ଉତ୍ସବ ଗୀତିକା

 

ଯାତ୍ରା ଉତ୍ସବ ଘେନି ନାନା ସଙ୍ଗୀତ ଉତ୍କଳର ପୁରପଲ୍ଲୀରେ ପ୍ରଚାରିତ । ଚନ୍ଦନଯାତ୍ରାରେ, ରଥଯାତ୍ରାରେ, ଝୁଲଣଯାତ୍ରାରେ, ମଙ୍ଗଳାଘଟ ଉତ୍ସବରେ, ସାହି ଦାମୋଦର ପୂଜାରେ, ଦୋଳଯାତ୍ରାରେ, ଚୈତିଘୋଡ଼ା ପୂଜାରେ, ଚୈତ ପର୍ବରେ ନାନା ଅଞ୍ଚଳରେ ନାନା ସଙ୍ଗୀତ ଆମେ ଶୁଣିଥାଉଁ । ଅବଶ୍ୟ ସେ ଉତ୍ସବମାନ ଅତିପୂର୍ବେ ଯେପରି ହେଉଥିଲା ଏବେ ସେପରି ହେଉନାହିଁ ବୋଲି କହିବା ଉଚିତ । କିନ୍ତୁ ଠାଏ ଠାଏ ଏବେ ସେହି ପୂର୍ବ ଅବସ୍ଥା ରହିଅଛି ।

 

ହେରାପଞ୍ଚମୀକୁ ରଥ ଭାଙ୍ଗିବାକୁ ଲକ୍ଷ୍ମୀଠାକୁରାଣୀ ବିଜେହୁଅନ୍ତି । ପୂର୍ବକାଳରେ ଯେପରି ଭାବରେ ଉକ୍ତ ଉତ୍ସବ ସମାହିତ ହେଉଥିଲା ଚଳିତ ବର୍ଷ ତିଗିରିଆ ଗଡ଼ରେ ଲେଖକ ଠିକ୍‍ ତଦ୍ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଅଛନ୍ତି । ସୁବେଶିତା ଶହେରୁ ଅଧିକ ନଗରବାସିନୀ ଲକ୍ଷ୍ମୀଙ୍କୁ ବେଢ଼ି କରି ଆସୁଥିବାର ଦୃଶ୍ୟ ଏପରି ଚମତ୍କାର ହୋଇଥିଲା ଯେ ଦେଖି ବିସ୍ମୟାଭିଭୂତ ହେବାକୁ ହୋଇଥିଲା । ତେଣୁ ମନେହୁଏ ପଲ୍ଲୀଗ୍ରାମର ଯାତ୍ରାଉତ୍ସବମାନ ପୂରାକାଳରେ ନରନାରୀ ସଂମିଶ୍ରଣରେ ଏପରି ଚାରୁତର ହେଉଥିଲା; ତାହାର ବର୍ଣ୍ଣନା ଏବେ ମଧ୍ୟ ଆମେ ଭୁଲିଗଲୁଣି ।

 

ଜଗନ୍ନାଥ ଲକ୍ଷ୍ମୀଙ୍କୁ ଘରେ ଛାଡ଼ିଦେଇ ଘୋଷ ଯାତ୍ରାକୁ ଚାଲିଯାନ୍ତି । ଯାତ୍ରାରୁ ନବ ଦିନ ପରେ ଫେରିଆସନ୍ତି । କିନ୍ତୁ ଘରସାଆନ୍ତାଣୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସିଂହଦ୍ୱାର ବନ୍ଦ ହୁଏ । ନାରୀର ଗାର୍ହସ୍ଥ୍ୟ ଜୀବନରେ ଭାର୍ଯ୍ୟାଭାବରେ ଯେ ଅଧିକାର ତାର ଏପରି ସୁନ୍ଦର ବିନିଯୋଗ କେଉଁଠି ଥିବ କି ନାସନ୍ଦେହ ।

 

ସଙ୍ଗୀତରେ ଏ ସବୁର ଚର୍ଚ୍ଚା ହୋଇଥାଏ । ଏକପକ୍ଷରେ ଲକ୍ଷ୍ମୀଙ୍କ ପକ୍ଷର ଗାୟକ ଅପର ପକ୍ଷରେ ଜଗନ୍ନାଥଙ୍କ ପକ୍ଷର ଗାୟକ ଗାନ କରନ୍ତି । ନରନାରୀ ସମୁଦ୍ର ପରି ଅନାଇଁ ରହିଥାନ୍ତି ଏହାର ମୀମାଂସା କଣ ହେବ ବୋଲି ।

 

ଆଗଭର ହୋଇ ଲଳିତା ଦାସୀ

କେତେ ଡାକ ଦିଅ ଜଗୁନିବାସୀ

ନିଦ୍ରା ଯାଇଛନ୍ତି ମାଏ ଆମ୍ଭର

ଜଣାଇଁବାକୁ ଶକତି କାହାର

ସେ ଯେ ରାଜାଙ୍କ ଜେମା

କେ ସହି ପାରିବ ତାଙ୍କ ଗାରିମା ।

x x x x

ସତ୍ୟହୁଁ ମିଥ୍ୟା ଲୋ ଆମ୍ଭେ ନ କହୁଁ

ଅସତ୍ୟ ଲୋକର ସଙ୍ଗେ ନ ଥାଉଁ

ଏମନ୍ତ କହିକି ଆମ୍ଭଙ୍କୁ ପାଇ

ସୁବର୍ଣ୍ଣ ଲକ୍ଷ୍ମୀ ଅଛୁଁ କନ୍ଧେ ବହି

ସେ ପ୍ରାଣର ପ୍ରିୟା

ନିଠୁର ନିର୍ଦ୍ଦୟ ତୁମ୍ଭର ହିଆ ।

 

ଏ ବଚନିକା ଏକାନ୍ତ ଉପଭୋଗ୍ୟ ହୁଏ । ଦାମ୍ପତ୍ୟ ଜୀବନକୁ ଘଷିମାଜି ପୁଣି ସରସ କରିଦିଏ ।

 

ପ୍ରତି ଯାତ୍ରା ଉତ୍ସବରେ ଯେତେ ସଙ୍ଗୀତ ଶୁଣାଯାଏ ତାହା ସଂଗୃହୀତ ନ ହେଲେ ଆମର ସଂସ୍କୃତି କଣ ଥିଲା ଧାରଣା କରି ହେବ ନାହିଁ । ତେଣୁ ଏହି ସୂତ୍ରରେ ସେ ସମସ୍ତ ବର୍ଷର ବିଭିନ୍ନାଞ୍ଚଳର ଉତ୍ସବକୁ ଯାଇ ସଂଗ୍ରହ କରିବାକୁ ହେବ ।

Image

 

ଭିଖାରୀ ଗୀତ

 

ଏହା ବ୍ୟତୀତ ଯେଉଁ ଦୁଃଖୀ ଲୋକେ ନିଜେ ସଙ୍ଗୀତ ରଚନା କରି ଭିକ୍ଷା ମାଗି ବୁଲନ୍ତି ସେମାନଙ୍କର ରଚନାମାନ ମଧ୍ୟ ସଂଗ୍ରହ କରିବାକୁ ହେବ । ଭିକ୍ଷୁକ; ଅନାଥ, ବିଧବା, ରୁଗ୍‌ଣ ତୁଣ୍ତରୁ, ଅତ୍ୟାଚାରିତ ମୁଖରୁ ଯେଉଁସବୁ ବ୍ୟଥାର ବାଣୀ ସ୍ୱତଃ ଫୁଟି କବିତା ହୋଇଯାଏ ସେ ସବୁ ହୃଦୟ ଫାଟି ଫୁଟିଥାଏ । ତେଣୁ କାଳିଦାସ ସେକ୍‌ସପିୟର ସେ କବିତା ନିକଟରେ ହାର ମାନିଥାନ୍ତି-। ସେଠି ବୁଦ୍ଧି, ବିଦ୍ୟା, ଅଳଙ୍କାରର କସରତ ନଥାଏ । ସେଠି କୌଣସି ଚତୁରତା ନ ଥାଏ । ସେଠି ଅଦୂଷିତ, ସରଳ, ଅନାଡ଼ମ୍ବର ମର୍ମ୍ମସ୍ପର୍ଶୀ ଛଳନା-ବିହୀନ ପ୍ରାଣର ଭାଷା ଶୁଣଯାଏ । ଆମେ ସେ ସବୁ ଅବଶ୍ୟ ଅବହେଳାରେ ଶୁଣି ଶୁଣୁନାହୁଁ । କିନ୍ତୁ ସେସବୁ ଜାତିର ଏକ ଏକ ଅମୂଲ୍ୟରତ୍ନ ଅଟେ-

 

ଏହା ବ୍ୟତୀତ ଅନ୍ୟ ଅନେକ ସଙ୍ଗୀତ ସଂଗ୍ରହ କରିବାର ଅଛି । କେତୋଟି ମାତ୍ର ବିଭାଗ କରି ଏହା ଦେଖାଇ ଦିଆଗଲା । ଉତ୍କଳ ଗ୍ରାମ୍ୟଗୀତିମାନ ସଂଗୃହୀତ ହୋଇସାରିଛି ଅଥବା ମୁଁ ଜଣେ ମହାନ୍‌ ସଂଗ୍ରାହକ ଏପରି ଅହଂକାର କରିବାର ଏବେ ମଧ୍ୟ ସମୟ ଆସିନାହିଁ । ମୋର ବିଶ୍ୱାସ ଗ୍ରାମ୍ୟଗୀତି ଉତ୍କଳର ଘରେ ଘରେ ଏବେ ମଧ୍ୟ ପୂରି ରହିଛି । ସେଥିପାଇଁ ଯେ ଯୋଗ୍ୟ ତାଙ୍କୁ ନିଯୋଗ କରାଯାଉ । କିନ୍ତୁ ସେହି ଯୋଗ୍ୟ ବ୍ୟକ୍ତି ସସ୍ତ୍ରୀକ ସମଗ୍ର ଉତ୍କଳ ଘୂରି ବୁଲନ୍ତୁ । ଏଥିରେ ସଂପୂର୍ଣ୍ଣ ୧୦ ବର୍ଷ ପରିଶ୍ରମ କଲେ ଓଡ଼ିଆ ସାହିତ୍ୟ ପାଇଁ ଏପରି ଅମୂଲ୍ୟ ସମ୍ପଦ ଲାଭ ହେବ ଯାହାଦ୍ୱାରା ଆମର ଜାତି, ଆମର ସାହିତ୍ୟ ଆମର ଭାଷା ଏକାନ୍ତ ସମୃଦ୍ଧ ହୋଇପାରିବ ।

 

କେବଳ ରାଜନୈତିକ ଉତ୍କଳ ନୁହେଁ, ସଂଗ୍ରାହକ ଉପାନ୍ତ ଉତ୍କଳ ମଧ୍ୟ ଭ୍ରମଣ କରିବାକୁ ବାଧ୍ୟ ହେବେ । ସେ ମଣିମୁକ୍ତାମାନ କେଉଁଠି କିପରି ଭାବେ ରହିଛି ତାହା କେନ୍ଦ୍ରଟିଏ କରି ଚିଠି ଲେଖି ସଂଗ୍ରହ କରାଯାଇ ନ ପାରେ । ତେଣୁ ଗାଁକୁ, ଗ୍ରାମ୍ୟ ନରନାରୀଙ୍କୁ ଯେ ଆପଣାର କରି ପାରିବ, ମଣିଷ ସାଥିରେ ମଣିଷ ପଶୁ ସାଥିରେ ପଶୁ ପାଲଟିବ ଏବଂ ନିଜେ କଲମ କାଗଜ ଧରି ଲୋକ ମୁଖରୁ ନିଃସୃତ ହେବା ମାତ୍ରେ ଲେଖିବେ, ସେ ଏହି ରତ୍ନ କରଗତ କରି ଉତ୍କଳଭାଷାର ଭଣ୍ତାର ସମୃଦ୍ଧ କରିପାରିବେ ।

Image